ଭୋର ୪ଟାରେ କଟକରେ ପହଞ୍ଚିଲେ ୫-ଟି ସଚିବ: ଖାନନଗରକୁ ଘୁଞ୍ଚିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

କଟକ ଅଫିସ୍‌,୧୦ା୩: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ କଟକ ବାଦାମବାଡ଼ିରେ ପହଞ୍ଚିଥିଲେ । ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ନିମନ୍ତେ କ’ଣ ସବୁ ସୁବିଧା ଯୋଗାଇ ଦିଆଯିବ, ବିଶେଷଭାବେ ପାନୀୟଜଳ, ରହଣି ଏବଂ ଶୌଚାଳୟ ବିଷୟରେ ଆଲୋଚନା କରିଥିଲେ। ଏଥିସହ ଏସ୍‌ସିବି ମେଡିକାଲ୍‌ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ରିଂ ରୋଡ୍‌କୁ ଛ’ଥାକିଆ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ବାଦାମ୍‌ବାଡ଼ିରୁ ସଚିବ ପାଣ୍ଡିଆନ୍‌ ରିଂ ରୋଡ୍‌କୁ ଯାଇ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏଥିସହ ସେ ଅନୁଗୋଳ ବସ୍‌ଷ୍ଟାଣ୍ଡ, ସେସୁ କଲୋନୀ, ହିନ୍ଦ୍‌ ସିନେମା ରୋଡ୍‌ ଏବଂ ତାଳଦଣ୍ଡା କେନାଲ୍‌ ବୁଲି ଦେଖିଥିଲେ । ତାଙ୍କ ଗସ୍ତ ସମୟରେ ପୂର୍ତ୍ତ ସଚିବ କ୍ରିଷନ୍‌ କୁମାର, କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ପୋଲିସ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ, ସେସୁ ସିଇଓ ଅରୁଣ ବୋଥ୍ରା, ସିଏମ୍‌ସି କମିଶନର୍‌ ଅନନ୍ୟା ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଏନେଇ କେନ୍ଦ୍ରାଞ୍ଚଳର ଅନିଲ କୁମାର ସାମଲ କହିଛନ୍ତି ଯେ, ସଚିବ ପାଣ୍ଡିଆନ୍‌ ବାଦାମ୍‌ବାଡି ବସ୍‌ଷ୍ଟାଣ୍ଡର ସଂପ୍ରସାରଣ ସଂପର୍କରେ ସମୀକ୍ଷା କରିଛନ୍ତି । ଖାନ୍‌ନଗର ବିଶ୍ୱନାଥ ପାଠାଗାର ନିକଟକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ହେବ । ଲିଙ୍କ୍‌ରୋଡରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ କରାଯିବ । ନିକଟରେ ଥିବା ଅନୁଗୋଳ ବସ୍‌ଷ୍ଟାଣ୍ଡ ଏବଂ ପୁରୀ ବସ୍‌ଷ୍ଟାଣ୍ଡର ଆଧୁନିକୀକରଣ ହେବ । ଏସ୍‌ସିବି ସଂପ୍ରସାରଣ ସଂପର୍କରେ ସଚିବ ପାଣ୍ଡିଆନ୍‌ ସମୀକ୍ଷା କରିଥିଲେ । କାର୍ଯ୍ୟର ଅଗ୍ରଗତି ଦେଖି ଖୁସି ହୋଇଥିବା ସେ କହିଛନ୍ତି।

Share