ପାଟନା,୨୩।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ୧୨୯ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମ ପଦକ୍ଷେପ ସ୍ବରୂପ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ସିନିୟର ରେସିଡେନ୍ସ ଡାକ୍ତର ଭିମସେନ କୁମାରଙ୍କୁ ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ଦର୍ଶାଇ ନୀତୀଶ ଏହି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରାୟ ୧୦୯ ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଦିନକୁ ଦିନ ଏହି ରୋଗ ବ୍ୟାପୁଥିବାରୁ ଲୋକେ ଭୟଭୀତ ହୋଇ ପିଲାମାନଙ୍କୁ ନେଇ ଘର ଛାଡୁଥିବା ଜଣାପଡିଛି। ଆଉ କେତେକ ଲୋକେ ନିଜ ନିଜ ପିଲାଙ୍କୁ ଦୂର ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଉଥିବା କହିଛନ୍ତି।