ଭୟଙ୍କର ହେଉଛି ‘କରୋନା’: ଓଡ଼ିଶାର ୪ ନମୁନା ନେଗେଟିଭ୍‌

ଭୁବନେଶ୍ୱର,୩ା୨(ବ୍ୟୁରୋ): ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନାକୁ ନେଇ ଏବେ ବିଶ୍ୱରେ ଭୟ ଓ ଆତଙ୍କ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭୂତାଣୁ ଭାରତକୁ ଡେଇଁଥିବାବେଳେ କେରଳରେ ଆଉ ଗୋଟିଏ ନମୁନା ପଜିଟିଭ୍‌ ବାହାରିଛି। ଏହା ଜଣାପଡିବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଏପଟେ ଓଡ଼ିଶାକୁ କରୋନା ଭୂତାଣୁ କିପରି ନ ଆସିବ ସେଥିଲାଗି ବିଭିନ୍ନ ପ୍ରବେଶ ପଥ ବିଶେଷକରି ବନ୍ଦର, ବିମାନ ବନ୍ଦର, ରେଳ ଷ୍ଟେଶନଗୁଡ଼ିକରେ ଯାତ୍ରୀଙ୍କୁ ଯାଞ୍ଚ କଡ଼ାକଡ଼ି କରାଯାଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରମୁଖ ହସ୍ପିଟାଲମାନଙ୍କରେ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ କରି ରଖାଯାଇଥିବାବେଳେ ସଂକ୍ରମଣ ଲକ୍ଷଣ ଥିବା ୫ଜଣଙ୍କ ସ୍ବାବ୍‌୍‌ ଓ ରକ୍ତ ନମୁନା ପୁଣେସ୍ଥିତ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। ସେଥିମଧ୍ୟରୁ ୪ ଜଣଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଜଣଙ୍କର ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଚାଇନାର ଉହାନ୍‌ ୟୁନିଭର୍ସିଟିରୁ ଫେରିଥିବା ଓଡ଼ିଶାର ଜଣେ ଛାତ୍ରୀ ଓ ତାଙ୍କର ସ୍ବାମୀଙ୍କୁ ସଂକ୍ରମଣ ଆଶଙ୍କା କରି ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ କରୋନା ପାଇଁ ଖୋଲିଥିବା ସ୍ବତନ୍ତ୍ର ଆଇସୋଲେଶନ ୱାର୍ଡରେ ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଛି। ଏ ଦିଗରେ ସତର୍କ ଦୃଷ୍ଟି ରଖାଯିବା ସହ ଆବଶ୍ୟକ ପଡ଼ିଲେ ସେମାନଙ୍କ ସ୍ବାବ୍‌ ଓ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଜିଲା ପ୍ରଶାସନ ପକ୍ଷରୁ ବ୍ୟକ୍ତିବିଶେଷ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ କର୍ମ ସଂସ୍ଥାନ ଯୋଗାଉଥିବା ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୦୨୦ ଜାନୁୟାରୀ ୧୫ ପରେ ଚାଇନା, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରରୁ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର କଣ୍ଟ୍ରୋଲ୍‌ ରୁମ୍‌କୁ ୦୬୭୪-୨୩୯୦୪୬୬/ ୯୪୩୯୯୯୪୮୫୭/ ୯୪୩୭୦୪୦୫୬୪କୁ ବାଧ୍ୟତାମୂଳକ କରାଯାଇଛି। କରୋନା ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତିଙ୍କର ନାମ, ଠିକଣା ଓ ବ୍ୟକ୍ତିଗତ ତଥ୍ୟକୁ ଗୋପନ ରଖାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Share