ଛତ୍ରପୁର,୭ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ଦିନରେ ଜିଲାରେ ୧୭ ପଜିଟିଭ୍ ବାହାରିଥିବାରୁ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସମସ୍ତ ପଜିଟିଭ୍ ସୁରଟ ଫେରନ୍ତା ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି। ଏମାନଙ୍କଠାରେ କୋଭିଡ୍ର କୋଣସି ଲକ୍ଷଣ ନ ଥିଲା ବୋଲି ଜିଲାପାଳ କହିଛନ୍ତି। ସ୍ବାବ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସମସ୍ତ ପଜିଟିଭ୍ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କର ଠିକ୍ ଯତ୍ନ ନିଆଯାଉଛି ଏବଂ ନିଆଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାବାସୀ ଏଥିନେଇ ଭୟଭୀତ ନ ହେବାକୁ ଜିଲାପାଳ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ୪ଜଣଙ୍କଠାରେ ପଜିଟିଭ୍ ମିଳିଥିବାବେଳ ବର୍ତ୍ତମାନ ଏହି ସଂଖ୍ୟା ୨୧ରେ ପହଞ୍ଚିଛି। ଗୁରୁବାର ଏସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୭ ପଜିଟିଭ୍ଙ୍କ ମଧ୍ୟରେ ୧୮ରୁ ୫୦ବର୍ଷ ମଧ୍ୟରେ ୧୬ଜଣ ପୁରୁଷ ଥିବାବେଳେ ଜଣେ ୨୦ବର୍ଷୀୟା ମହିଳା ଅଛନ୍ତି।