ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫୦ ବଖରା ଘର, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ପୁରୁଷୋତ୍ତମପୁର, ୧୬।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ସୋମବାର ଭୋର ସକାଳ ସମୟ ପ୍ରାୟ ୫ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ଟି ପରିବାରରର ୫୦ ବଖରା ଘର ସମ୍ପୁର୍ଣ୍ଣ ରୂପେ ପୋଡିଯାଇଛି । ଘରେ ଥିବା ଧାନ, ଚାଉଳ, ମୁଗ,ବିରି ସହ ଆସବାବପତ୍ରମାନ ସମ୍ପୁର୍ଣ୍ଣ ରୁପେ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ପୁରୁଷୋତ୍ତମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କିଭଳି ଲାଗିଲା ତାହାର କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡରେ ଘର ଓ ଆସବାବପତ୍ରମାନ ପୋଡି ଯାଇଥିବା ହେତୁ ସମ୍ପୃକ୍ତ ପରିବାର ଗୁଡିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥିରେ କେହି ଆହତ ହୋଇନାହାନ୍ତି । ସୁନାଥର ପଞ୍ଚାୟତ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଚାଲିଛି। ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ଆକଳନ ଲାଗି ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ପରିବାର ଗୁଡିକ ହେଲେ ପରବାସି ନାହାକ, ଜମୁନା ନାହାକ, ଶୋଭା ନାୟକ, କୁନି ବେହେରା, ସଙ୍ଗିତା ମହାଙ୍କୁଡ, ଲିଙ୍ଗରାଜ ନାୟକ, ସୁଜନ୍ତି ନାୟକ, ରାଜୁ ବେହେରା, ମନୋଜ ବେହେରା, ସୁରୁଜ ନାହାକ, କାଞ୍ଚନ ନାୟକ, ଝୁନୁ ନାହାକ, ଗିତା ନାହାକ, ବିପ୍ର ମଳିକ, ଫକିର ମଳିକ, ପିତାମ୍ବର ମଳିକ, କଳା ମଳିକ, ଶିବରାମ ମଳିକ, ବାବୁଲି ମଳିକ, ଦେବରାଜ ମଳିକ, ବିଜୟ ମଳିକ, ବିପ୍ର ସେଠୀ, ଲକ୍ଷ୍ମୀ ସେଠୀ, ଦଣ୍ଡାସି ନାହାକ ଏବଂ ରାଜୁ ମହାଙ୍କୁଡ। ଏହି ପରିବାରଗୁଡିକ ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଥିବା ହେତୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପୂର୍ବତନ ସମିତି ସଭ୍ୟ ଭୀମ ନାହାକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

Share