ମଇଁଷିର ଦାମ ୫୧ ଲକ୍ଷ ଟଙ୍କା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏହା ସତ କଥା। ହରିୟାଣାର ମୁର୍ରା ପ୍ରଜାତିର ଏକ ମଇଁଷିର ଦାମ ଏପରି ରହିଛି। ଏହି ମଇଁଷିକୁ ମାଲିକ ସୁଖବୀର ସିଂ ଦାଣ୍ଡା ଆଦରରେ ସରବତୀ ନାମ ଦେଇଛନ୍ତି। ମଇଁଷିଟି ୩୨.୬୬ ଲିଟର କ୍ଷୀର ଦେଇ ଏବେ ରେକର୍ଡ କରିଛି। ଅନ୍ତର୍ଜାତୀୟ ପିଡ଼ିଏଫ୍ ଡାଏରୀ ଏକ୍ସପୋ-୨୦୧୯ରେ ଏହି ରେକର୍ଡ ହୋଇଛି। ୨୦୧୮ରେ ଏହି ରେକର୍ଡ ପାକିସ୍ତାନର ଫଇସଲାବାଦ୍ର ଏକ ମଇଁଷି ନାମରେ ଥିଲା। ସେହି ମଇଁଷିଟି ୩୨.୫୦ ଲିଟର କ୍ଷୀର ଦେଉଥିଲା। ମୁର୍ରା ପ୍ରଜାତିର ମଇଁଷି ଅଧିକ ପରିମାଣ କ୍ଷୀର ଦେଇଥାନ୍ତି। କିଛି ଦିନ ତଳେ ସରବତୀର ବାଛୁରୀକୁ ମାଲିକ ସୁଖବୀର ତାମିଲନାଡୁର ଜଣେ ଲୋକଙ୍କୁ ସାଢ଼େ ୪ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଡାଏରୀ ଏକ୍ସପୋରେ ସୂଚନା ଦେଇଛନ୍ତି।