ମଉଲିକ ସୁବିଧାରୁ ବଁଚିତ୍‌ ରାଧାପଡ଼ାବାସୀ

ଅତାବିରା, ୧୮।୧୦(ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ସରକାର ଗାଁ ଗଁଲିନୁ ସହରତକ୍‌ ବାସ କରୁଥିବାର ଗରିବ୍‌ଦୁଖିକର ଲାଗି ଅବାସ ଯୋଜନାରେ ଘର, ଭୂମିହୀନମାନକୁ ବସୁନ୍ଧରା ଯୋଜନାରେ ଘରଡିହ, ବୁଢ଼ାବୁଢ଼ିକୁ ଭତା, ସମକର ଲାଗି ନିରମଲ ପିଇଲା ପାଏନ୍‌ର ବେବସ୍‌ତା କରୁଛନ୍‌। ହେଲେ ଦୁଖର କଥା ଆଏଜ୍‌ ବି ଆମର ରାଏଜେ ଏନ୍‌ତା କେତେ ଗାଁଗଁଡ଼ା, ପଡ଼ା ଅଛେ ଯେନ୍‌ଠାନେ ଲୋକ୍‌ ବଛର ବଛର ହେଲା ମଉଲିକ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ଆର ଭେଡ଼େନ ବ୍ଲକର ସୀମାନାରେ ଥିବାର ରାଧାପଡ଼ାରେ।
ସୂଚନା ଅନ୍‌ସାରେ ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ଅଧୀନରେ ରହିଛେ ରାଧାପଡ଼ା। ପଡ଼ାରେ ପାଖାପାଖି ୨୦ ପରିବାରର ୮୦ ଝନ୍‌ ରହୁଥିଲାବେଲେ ବଡ଼ଭାଗି ଲୋକ୍‌ ଆଦିବାସୀ ସମାଜର। ଇ ପରିବାରମାନେ ନିହାତି ଗରିବ୍‌ ହେଇଥିଲାବେଲେ ଆଏଜ୍‌କେ ପାଖାପାଖି ୫୦ ବଛର ହେଲା ସରକାରୀ ଜମିରେ କୁରିଆଟେ ଲେଖେଁ କରି କୁଟୁମ୍‌ବସିଆ ରହି ଆସୁଛନ୍‌। ପଡ଼ାର ହାତ୍‌ଗନ୍‌ତି ଘରକେତେକେ ଛାଡ଼ିଦେଲେ ବାକି କୁଲିମଜୁରି କରି ନିଜର କୁଟୁମ୍‌ ପୁଷୁଛନ୍‌। ସେନ୍‌ତା ପଡ଼ାକେ ରାସ୍‌ତାଘାଟ ଥିଲେ ବି ପଡ଼ାବାସୀ ଶିକ୍ଷା, ସୁଆସ୍‌ତିଅ, ବିଦ୍ୟୁତ୍‌, ନିରମଲ ପିଇଲା ପାଏନ୍‌ ଲେଖେଁ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ପଡ଼ାରେ ଅଙ୍ଗନଓ୍ବାଡି କେନ୍ଦ୍ର ନାଇଁଥିବାର ଲାଗି ପଡ଼ାର ଛୁଆମାନେ, ଗରଭବତୀ ମହିଲାମାନେ ପୁଷ୍ଟିକର ଖାଏଦ୍‌ ଆର ଉନିଆ ସବୁ ସୁବିଧାରୁ ବଁଚିତ୍‌ ହେଉଛନ୍‌। ସେନ୍‌ତା ପଡ଼ାରେ ପିଇଲା ପାଏନ୍‌ର ସୁବିଧା ନାଇଁଥିଲାବେଲେ ପଡ଼ାବାସୀ ଖରାଦିନେ ବଡ଼ଭାରି ସମସିଆର ସାମନା କରୁଛନ୍‌। ପଡ଼ାର ବଡ଼ଭାଗି ପରିବାର ଭୂମିହୀନ ହେଇଥିଲେ ବି ସରକାରୀ ଯୋଜନାରେ ଘରଡ଼ିହ, ଆବାସ ଯୋଜନାରେ ଘର ପାଏବାରୁ ବଁଚିତ୍‌ ହେଇ ରହିଥିବାର ପଡ଼ାର ଶିଶୁ ଜାନୀ, କୃପା ଜାନୀ, ପର୍ଶୁ ଜାନୀ, ଟଙ୍କ ଜାନୀ, ମଙ୍ଗଲୁ ଖରସେଲ, ରିପୁ ମାଝି, ସୁଶିଲା ଜାନୀ, ବିଦେଶୀ ଗହୀର ପରମୁଖ ଅଭିଯୋଗ କରିଛନ୍‌। ସରକାରକଁର ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ପାଏବାରୁ ପଡ଼ାର ବଡ଼ଭାଗୀ ଲୋକ୍‌ ବଁଚିତ୍‌ ହେଇଥିଲାବେଲେ ସ୍ବଚ୍ଛ ଭାରତ ମିଶନ ବାଟବନା ହେଇଛେ। ସେନ୍‌ତା ପଡ଼ାର ଅନେକ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ଥିବାର ଜନାଯାଇଛେ। ପଡ଼ାବାସୀକର ସମସିଆ ବାବ୍‌ଦେ ପଡ଼ାର ଝନେ ବୁରୁଧ ମଙ୍ଗଲୁ ଖରର୍ସେଲକୁଁ ପଚରାଲାରୁ ଆମେ ଇଠାନେ ୫୦ ବଛର ହେଲା ରହିଆସୁଛୁଁ। ହେଲେ ସରକାରୀ ଯୋଜନାରେ ଘରଡିହ, ପକାଘର, ପିଇଲାପାଏନ୍‌, ବିଦ୍ୟୁତ୍‌ ଲେଖେଁ ସେବାରୁ ବଁଚିତ୍‌ ହେଇ ରହିଛୁଁ। ମୋତେ ଆଏଜ୍‌କେ ୭୦ ବଛର ହେଲାନ, ହେଲେ ଭତା ନୁହେ ମିଲେ ବଲି ସେ କହିଥିଲେ। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।

Share