ମଉଳିଲା ଉଦ୍ଧବଙ୍କ ଆଶା

ମୁମ୍ବାଇ,୧।୫: ମହାରାଷ୍ଟ୍ରରେ ଖାଲିପଡ଼ିଥିବା ୯ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଇବାକୁ ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଗୁରୁବାର ଇସିଙ୍କୁ ଅନୁରୋଧ କରିଛନ୍ତି। ଫଳରେ ଉଚ୍ଚ ସଦନକୁ ମନୋନୀତ ହେବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରଖିଥିବା ଆଶା ମଉଳିଯାଇଛି। ବିଧାନ ପରିଷଦକୁ ମନୋନୟନ କରାଇବାରେ ରାଜ୍ୟପାଳ ଟାଳଟୁଳ ନୀତି ଆପଣାଇବାରୁ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ସହାୟତା ଲୋଡ଼ିଥିଲେ। କେନ୍ଦ୍ରରୁ ରାଜଭବନକୁ ବାର୍ତ୍ତା ଆସିବା ନେଇ ଶିବସେନା ଆଶାବାଦୀ ଥିଲା। ଲକ୍‌ଡାଉନ କଟକଣା କୋହାଳ ହୋଇଥିବାରୁ ନିର୍ଦ୍ଦିଷ୍ଟ ଗାଇଡଲାଇନ ସହିତ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି। ଉଦ୍ଧବ କୌଣସି ଗୃହର ସଦସ୍ୟ ନାହାନ୍ତି। ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇ ରଖିବାକୁ ହେଲେ ତାଙ୍କୁ ମେ’ ୨୭ ପୂର୍ବରୁ ବିଧାନ ପରିଷଦକୁ ନିର୍ବାଚିତ ହେବାକୁ ପଡ଼ିବ। କରୋନା ମହାମାରୀ ସଙ୍କଟ ଯୋଗୁ ଇସି ଉପରୋକ୍ତ ଆସନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି।

Share