ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ ଦେଉଛନ୍ତି। ସେହି ପାରମ୍ପରିକ କଳା ମଧ୍ୟରେ ଯାତ୍ରା ହେଉଛି ଅନ୍ୟତମ। ଆଉ ପର୍ବପର୍ବାଣି ସମୟ ପାଖେଇ ଆସିଲେ ଓଡ଼ିଶାର ଗଁା ଗହଳିରେ ଯାତ୍ରାର ଫିଭର ବଢ଼ିଯାଏ। ଆଗକୁ ଆସୁଛି ମକର ସଂକ୍ରାନ୍ତି। ଓଡ଼ିଶାର ଏହା ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ମକରକୁ ଆଖିଆଗରେ ରଖି ଆରମ୍ଭ ହୋଇଛି ନୂଆ ଯାତ୍ରାନୁଷ୍ଠାନ ‘ଯାତ୍ରା ଜ୍ୟୋତିମହଲ’। ଭଦ୍ରକ ଜିଲାର ଧାମରା ସ୍ଥିତ ବାଲିମୁଣ୍ଡାଠାରେ ଏହି ଅନୁଷ୍ଠାନର ଶୁଭାରମ୍ଭ ହୋଇଛି। ବଟକୃଷ୍ଣ ପ୍ରଧାନ ଏହାର ପ୍ରୋପ୍ରାଇଟର ଥିବା ବେଳେ ନାଟ୍ୟ ପରିଚାଳକ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ଆରତବାବୁ। ଯାତ୍ରା ଜଗତର ନାମୀଦାମୀ ଲେଖକ, ନିର୍ଦ୍ଦେଶକ ତଥା ସଙ୍ଗୀତ ନିର୍ଦ୍ଦେଶକଙ୍କୁ ନେଇ ଏହାର ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲୁ ରହିଛି। ପ୍ରଥମ ଦୁଇଟି ନାଟକ ‘ଫଗୁଣ ମୋ ପାଇଁ ସାତ ସପନ’ ଓ ‘ଯେତେ ରାତି ସେତେ ପତି’କୁ ଲୋକପ୍ରିୟ ନିର୍ଦ୍ଦେଶକ ତାପସ ସ୍ବାଇଁ ନିର୍ଦ୍ଦେଶନା ଦଉଥିବା ବେଳେ ଏହାର ରଚନା କରିଛନ୍ତି ଯଥାକ୍ରମେ ଅଜୟ ସ’ ଓ ‘ଗୁପ୍ତ ସମ୍ପର୍କ’ ଫେମ୍‌ ନବଘନ ରାଉଳ। ଏହି ଦୁଇଟି ନାଟକରେ ଗୀତ ରଚନା କରିବା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମେଲୋଡ଼ି ମେକର ମିହିର ମହାନ୍ତି। ତୃତୀୟ ନାଟକ ହେଉଛି ‘ଏନ୍‌କାଉଣ୍ଟର ଇନ୍ସପେକ୍ଟର’। ଜଣାଶୁଣା ନାଟ୍ୟକାର ଦାମ ପ୍ରଧାନ ଏହାକୁ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଯୋଗେନ୍ଦ୍ର ମଲ୍ଲିକ। ତାପସ ଦାସ (ଟିଟନ୍‌) ଏହି ନାଟକ ପାଇଁ ଗୀତ ତଥା ସଙ୍ଗୀତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଗୋପାଳ ରଥ, ସପନି, ପ୍ରଫୁଲ୍ଲ, ମିଲି, ପୂଜା, ଉଦ୍ଧବ, ରୋହିତ, କମଳ, ହେମନ୍ତ, ମୁନ୍ନା, ଲିଲି ପ୍ରମୁଖ ଓଡ଼ିଶାର ନାମକରା କଳାକାରମାନେ ଏଥିରେ ଅଭିନୟ କରୁଛନ୍ତି। ଖୁବ୍‌ ଶୀଘ୍ର ଏହା ପ୍ରମୁଖ ଯାତ୍ରାସ୍ରୋତରେ ସାମିଲ ହେବ ବୋଲି ଆଶା କରାଯାଉଛି।

Share