ମକର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୫ା୧: ଶ୍ରୀମନ୍ଦିରରେ ବୁଧବାର ପାଳିତ ହୋଇଛି ମକର ପର୍ବ। ରତ୍ନସିଂହାସନରେ ଦାରୁବିଗ୍ରହ ମକର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ଭୋର ୪ଟାରେ ଦ୍ୱାର ଫିଟିଥିଲା। ମଙ୍ଗଳ ଆଳତି, ଅବକାଶ ବଢିବା ପରେ ତ୍ରିମୁଣ୍ଡିରେ ମକର ଚୂଳ ଲାଗି ହୋଇଥିଲା। ପରେ ଠାକୁରଙ୍କ ବେଶ ହୋଇଥିଲା। ସକାଳ ଧୂପ ପରେ ୩ ବାଡରେ ମଇଲମ ହୋଇ ମହାସ୍ନାନ ବଢିଥିଲା। ଘଟୁଆରୀ ଘରଠାରୁ ସର୍ବାଙ୍ଗ ବିଜେ କରାଇ ସର୍ବାଙ୍ଗ ଲାଗି ହୋଇଥିଲା। ଠାକୁରଙ୍କୁ ନୂଆଲୁଗା, ଚୂଳମାଳ, ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ବେଶ କରାଯାଇଥିଲା। ଦ୍ୱିପ୍ରହର ଧୂପ ସାଙ୍ଗରେ ଯାତ୍ରାଙ୍ଗୀ ଭୋଗ ରୋଷରୁ ପଟୁଆର ହୋଇ ଛାମୁକୁ ଆସିଥିଲା। ପଣ୍ଡା ଷୋଡ଼ଶ ଉପଚାରରେ ମଣୋହୀ କରିଥିଲେ। ଟେରା ପଡ଼ିବା ପରେ ପଣ୍ଡା, ପତ୍ରିବଡୁ, ସୁଆରବଡୁ ଏବଂ ଗରାବଡୁଙ୍କୁ ସାଙ୍ଗରେ ଧରି ରୋଷ ପାଇକ ହାତେ ଏକ ଓଳି ଅନ୍ନ ଧରି ବାହାରକୁ ଆସି ମନ୍ଦିର ଚାରିପାଖେ ଦିଗ୍‌ବଳି ଦେଇଥିଲେ। ଏହାପରେ ଭିତରକୁ ଯାଇ ମଣୋହି କରିଥିଲେ। ଏହି ଭୋଗ ସରି ଆଳତି ବଢିବା ପରେ ଟେରା ବନ୍ଧା ହୋଇଥିଲା। ପାଳିଆ ପଢିଆରୀ ମଙ୍ଗଳବାର ଅଧିବାସ ହୋଇଥିବା ଚାଉଳ ଭୋଗମଣ୍ଡପ ଘରକୁ ଡାକି ଯାଇଥିଲେ। ଏହାପୂର୍ବରୁ ଶୁଦ୍ଧସୁଆର ଗୋଦାମରୁ ଆବଶ୍ୟକ ସାମଗ୍ରୀ ଆଣିଥିଲେ। ଭୋଗ ଡାକିଯିବା ବେଳକୁ ଶୁଦ୍ଧସୁଆରମାନେ ପନ୍ତିବଡୁମାନଙ୍କଠାରୁ ରୁପାଥାଳି ୩ଟି ନେଇ ଉକ୍ତ ଚାଉଳକୁ ମୂର୍ତ୍ତମୂଳ କରି ରଖିଥିଲେ। ରୋଷରୁ ମକର ୮୪ ଭୋଗ ଆସି ପନ୍ତିରେ ବଢାଯାଇଥିଲା। ମହାଭୋଇ ସେବକମାନେ ଦୁଗ୍ଧ ଘରୁ ଦହି ଆଣି ମହାସୁଆରଙ୍କୁ ପ୍ରଦାନ କରିଥିଲେ। ହଡ଼ପ ନାୟକ ସେବକମାନେ ନଳୀପାନ, ଛାଚିପାନ ଧରି ବଡ଼ଦେଉଳକୁ ବେଢାଏ ବୁଲି ପନ୍ତିରେ ପ୍ରଦାନ କରିଥିଲେ। ମକର ଭୋଗ ଲାଗି ହେବା ପରେ ବେଢା ପରିକ୍ରମା କରାଯାଇଥିଲା। ପରେ ମକର ଚାଉଳ ଭୋଗକୁ ଭକ୍ତମାନେ ପାଇଥିଲେ।

Share