ପୁରୁଷୋତ୍ତମପୁର,୧୫।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ବୁଧବାର ମକର ସଂକ୍ରାନ୍ତି ଅବସରେ ମା’ଙ୍କ ଦର୍ଶନ ଲାଗି ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବିଧି ଅନୁଯାୟୀ, ଭୋର ୫ଟା ୩୦ ମିନିଟ୍ରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ସକାଳ ୬ଟା ୨୦ମିନିଟ୍ରେ ସାହାଣ ମେଲା ହୋଇଥିଲା। ଦୁଇ ଭଉଣୀ ମା’ ତାରା ତାରିଣୀ ରାଜରାଜେଶ୍ବରୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଜିଲା ତଥା ଜିଲା ବାହାରୁ ଆସିଥିବା ଭକ୍ତମାନେ ମା’ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।