ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରାସଲୀଳା

ପୁରୀ ଅଫିସ, ୮ା୭: ନବଦିନାତ୍ମକ ଯାତ୍ରାରେ ଆସି ଚତୁର୍ଦ୍ଧାବିଗ୍ରହ ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗହଳି ଲାଗୁଛି ଶରଧାବାଲିରେ। ତେବେ ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ତିନିଦିଆ ରାସଲୀଳା। ଗୋପୀମାନଙ୍କ ସହିତ ରାସଲୀଳା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସବୁ ଯୁଗର ଦେବତା। ସେ ସତ୍ୟ ଯୁଗର ନୃସିଂହ ଓ ବାମନ। ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଆଉ ଦ୍ୱାପର ଯୁଗର ରସରାଜ ଭଗବାନ ଶ୍ରୀକୃଷ୍ଣ। ଗୋପୀମାନଙ୍କ ସହିତ ବୃନ୍ଦାବନରେ ରାସଲୀଳା କରୁଥିଲେ ଭଗବାନ ଶ୍ରୀକୃଷ୍ଣ। ଗୋପୀମାନଙ୍କର ମନକଥା ଜାଣିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଭଗବାନଙ୍କୁ କଣ ସୁଖ ଲାଗିବ ସେହିଭଳି କାର୍ଯ୍ୟ କରୁଥିଲେ ଗୋପୀମାନେ। ତେଣୁ ଏଠାରେ ମଧ୍ୟ ଶ୍ରୀଗୁଣ୍ଡିଚା ମଣ୍ଡପ ତିନିଦିନ ଧରି ରାସମଣ୍ଡପରେ ପରିଣତ ହୁଏ। ମହାପ୍ରଭୁ ପତିତପାବନ ଯାତ୍ରା କରିବା ପାଇଁ ଜନ୍ମବେଦୀକୁ ଆସିଥିବା ସମୟରେ ଗୋପୀମାନଙ୍କ ସହିତ ଏହି ମଣ୍ଡପରେ ରାସ ରସରେ ମଗ୍ନ ହୁଅନ୍ତି। ସେଥିପାଇଁ ସାଙ୍ଗରେ ପ୍ରିୟତମା ପତ୍ନୀ ମହାଲକ୍ଷ୍ମୀଙ୍କୁ ଆଣି ନ ଥାନ୍ତି। ତଥାପି ହେରାପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଠାକୁରଙ୍କଠାରୁ ଆଜ୍ଞାମାଳ ପାଇବା ପରେ ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଯାଇଥାନ୍ତି। ଏହା ପରଦିନଠାରୁ ଅର୍ଥାତ୍‌ ଆଷାଢ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଶ୍ରୀଗୁଣ୍ଡିଚା ମଣ୍ଡପରେ ଗୋପୀମାନଙ୍କ ସହିତ ରାସଲୀଳା ଅନୁଷ୍ଠିତ ହୋଇଥାଏ। ଏହି ତିନିଦିନ ପ୍ରତ୍ୟହ ସନ୍ଧ୍ୟାଧୂପ ବଢିଲେ ମଦନମୋହନ ଜଗମୋହନ ସିଂହାସନ ଉପରେ ବିଜେ କରନ୍ତି। ସେଠାରେ ଶର୍କରା, କୋରା ଆଦି ଭୋଗ ସର୍ପାମଣୋହୀ ହୁଏ। ଏହାପରେ ବନ୍ଦାପନା କରାଯାଏ। ଏହାକୁ ରାସନୀତି ବୋଲି କୁହାଯାଏ। ଏହିଭଳି ଭାବେ ତିନିଦିନ ଧରି ରାସବିହାରୀ ଶ୍ରୀଜଗନ୍ନାଥ ବର୍ଷାକାଳୀନ ରାସଲୀଳା ଶ୍ରୀଗୁଣ୍ଡିଚା ମଣ୍ଡପରେ କରିଥାନ୍ତି। ମହାପ୍ରଭୁଙ୍କର ଏହି ରାସଲୀଳାକୁ ଯେଉଁମାନେ ଭକ୍ତି ପୂର୍ବକ ଦର୍ଶନ କରନ୍ତି ସେମାନେ ଅନନ୍ତ ପୂଣ୍ୟର ଅଧିକାରୀ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

Share