Categories: ରାଜ୍ୟ

ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ, ଦେବନୀତି ନିଷେଧ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଆସନ୍ତା ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ରହିବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁଯାୟୀ, ପୁରୀକୁ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ରାତ୍ରି ୧୨ଟା ୧୪ରେ ଚନ୍ଦ୍ରକାନ୍ତି ମାଲିନ୍ୟାରମ୍ଭ ହେବାକୁ ଥିବାବେଳେ ରାତ୍ରି ୧ଟା ୩୨ରେ ଆଂଶିକ ଗ୍ରହଣ ସ୍ପର୍ଶ, ୩ଟା ୧ରେ ଗ୍ରହଣ ମଧ୍ୟ, ୪ଟା ୩୦ରେ ସର୍ବମୋକ୍ଷ ବା ଆଂଶିକ ଗ୍ରହଣ ଶେଷ ଓ ନିଶାନ୍ତ ୫ଟା ୪୮ରେ ଚନ୍ଦ୍ରକାନ୍ତି ମାଳିନ୍ୟ ଶେଷ ହେବ।
ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥ ପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଓ ଦେବନୀତି ଏବଂ ପରଦିନ ପାକ କାର୍ଯ୍ୟାଦି କରିବା ବିଧିସଙ୍ଗତ ଅଟେ। ଗ୍ରହଣଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ ଓ ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ। ରାତ୍ରି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ଏବଂ ତପତ୍ରେ ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ଅନ୍ୟମାନଙ୍କ ପାଇଁ ଶୁଭ ରହିବ।

ଅନ୍ୟପକ୍ଷରେ ଚନ୍ଦ୍ରଗ୍ରହଣ ମଧ୍ୟରାତିରେ ଦେଖାଯାଉଥିବାରୁ ଓ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟାରିୟମ ଓ ବୁର୍ଲାସ୍ଥିତ ଡ. ଏ.ପି.ଜେ ଅବଦୁଲ କଲାମ ପ୍ଲାନେଟାରିୟମରେ ଦେଖିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ନିଜ ଘରେ ରହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିହେବ ବୋଲି ପଠାଣିସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Share