ମଙ୍ଗଳବାର ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ବନ୍ୟାଜଳ

ସମ୍ବଲପୁର,୧୦।୭: ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ରବିବାର ପୂର୍ବାହ୍ନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ। ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟରୁ ବନ୍ୟା ଜଳ ନିଷ୍କାସନ କରାଯିବ। ହୀରାକୁଦରୁ ପାଣି ଛଡାଯିବାର ୪୮ଘଣ୍ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ। ଏଥିଯୋଗୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। କୌଣସି ଅଘଟଣ ଘଟିଲେ ଡ୍ୟାମ୍‌ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ସମ୍ବଲପୁର ସମେତ ସୋନପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, ଫୁଲବାଣୀ, ଅନୁଗୋଳ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ପୁରୀ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏନେଇ ହୀରାକୁଦ ଡ୍ୟାମ ତଳମୁଣ୍ଡରେ ବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଶନିବାର ଜଳଭଣ୍ଡାରର ଜଳସ୍ତର ୬୦୮.୩୧ ଫୁଟ ରହିଛି । ଏହାସହ ଜଳଭଣ୍ଡାରରକୁ ପ୍ରତି ସେକେଣ୍ଡରେ ୩୮ ହଜାର ୫୦୧ କ୍ୟୁସେକ ଜଳ ପ୍ରବେଶ କରୁଛି।

Share