ମଙ୍ଗଳରେ ଜୀବନ

ନ୍ୟୁୟର୍କ, ୨୧।୧୧: ମଙ୍ଗଳରେ ଜୀବସତ୍ତା ସମ୍ଭବ କି ବୋଲି ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିବାବେଳେ ଜୀବନ ସମ୍ପର୍କିତ କେତେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଆମେରିକାସ୍ଥିତ ଓହାୟୋ ୟୁନିଭର୍ସିଟିର ଜଣେ ଗବେଷକ। ଲାଲଗ୍ରହରେ କୀଟ ଭଳି କେତେକ ପ୍ରାଣୀ ରହିଥିବା ପ୍ରଫେସର ଏମେରିଟସ୍‌ ଓ୍ବିଲିୟମ୍‌ ରୋମୋସର ଗବେଷଣାରୁ ଜାଣିବାକୁ ପାଇଛନ୍ତି।
ରୋମୋସର ଏକାଧିକ ମଙ୍ଗଳ ଅଭିଯାନରୁ ସଂଗୃହୀତ ଫଟୋଗ୍ରାଫ୍‌କୁ ନେଇ ଗଭୀର ଅନୁଧ୍ୟାନ ଓ ଗବେଷଣା କରିଥିଲେ। ଏଥିରୁ ସେ ଜାଣିବାକୁ ପାଇଛନ୍ତି ଯେ, ମଙ୍ଗଳରେ ଅନେକ ପ୍ରଜାତିର କୀଟାକୃତିର ଜୀବ ରହିଛନ୍ତି। ଫଟୋରେ ଉଭୟ ଜୀବାଶ୍ମ ଏବଂ ଜୀବନ୍ତ ଜୀବମାନଙ୍କ ଶରୀର ଗଠନ ଢାଞ୍ଚା ମହୁମାଛି ଓ ସରୀସୃପ ଭଳି ଦେଖାଯାଉଛି। ସେମାନଙ୍କ ଦେହରେ ଡେଣା, ଡେଣାର ସଙ୍କୋଚନ, ଚାଲିବା ଓ ଉଡ଼ିବା ଭଳି ବ୍ୟବସ୍ଥା ରହିଛି। ମଙ୍ଗଳକୁ ଯାଇଥିବା ଅନେକ ଯାନ ବିଶେଷକରି କ୍ୟୁରୋସିଟି ରୋଭର ସେଠାରେ ଜୈବିକ ଗତିବିଧି ସମ୍ପର୍କରେ ସୂଚକ ଖୋଜୁଛି। ରୋଭର ପଠାଇଥିବା ଫଟୋଗୁଡ଼ିକରେ କୀଟ ଓ ସରୀସୃପ ଜାତୀୟ ପ୍ରାଣୀ ରହିଥିବା ସ୍ପଷ୍ଟ ଦେଖାଯାଉଛି। ମଙ୍ଗଳରେ ଅଧିକ ମାତ୍ରାରେ ମେଟାଡୋର ଅର୍ଗାନିଜମ୍‌ର ଉପସ୍ଥିତି ପୋଷକ/ଶକ୍ତି ଉତ୍ସ ଓ ପ୍ରକ୍ରିୟା, ଖାଦ୍ୟଶୃଙ୍ଖଳ, ଜଳ ଉପଲବ୍ଧ ଥିବାର ସୂଚନା ଦିଏ। ତେଣୁ ମଙ୍ଗଳରରେ ଏବେ ମଧ୍ୟ ଜୀବନ ରହିଛି ବୋଲି ରୋମୋସର କହିଛନ୍ତି। ତାଙ୍କର ଏହି ଅଧ୍ୟୟନକୁ ଏଣ୍ଟୋମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକାର ଜାତୀୟ ବୈଠକରେ ଉପସ୍ଥାପନ କରାଯାଇଛି।

 

Share