ମଙ୍ଗଳାଙ୍କୁ ଲାଗିହେଲା ୧ଲକ୍ଷ ୮ ନୀଳକଇଁ

ପୁରୀ ଅଫିସ,୬।୧୦: ଶାରଦୀୟ ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ। ଆନନ୍ଦ ଉଲ୍ଲାସରେ ସମସ୍ତେ ମା’ ଦୁର୍ଗତିନାଶିନୀଙ୍କୁ ଆରାଧନା କରୁଛନ୍ତି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଳପୂଜା। ତେବେ ଗତ ଗୁରୁବାର ବାସେଳିସାହି ବନଦୁର୍ଗା ଛକସ୍ଥିତ ମା’ ମଙ୍ଗଳାଙ୍କୁ ଲାଗିହୋଇଛି ୧ ଲକ୍ଷ ୮ ନୀଳ କଇଁ। ଏଭଳି ଏକ ନିଆରା ପରମ୍ପରା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ସନ୍ତୋଷ ପଣ୍ଡା କୁହନ୍ତି, ଗତ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଷୋଳପୂଜାର ଷଷ୍ଠୀରେ ମା’ ମଙ୍ଗଳାଙ୍କୁ ୧ ଲକ୍ଷ ୮ କଇଁ ଲାଗି କରାଯାଉଛି। ବଡ଼ସିଂହାର ବେଶରେ ଏହି ଫୁଲ ଲାଗି କରାଯାଇଥାଏ। ପରଦିନ ମଙ୍ଗଳ ଆଳତି ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କୁ ଏଭଳି ବେଶରେ ଦର୍ଶନ କରିଥାନ୍ତି। ଅବକାଶରେ ଏହି ଫୁଲ ଓଲାଗି ହୋଇଥାଏ। ଗତ ଗୁରୁବାର ରାତି ପ୍ରାୟ ୧୦ଟାରୁ ମା’ଙ୍କୁ ବଡ଼ସିଂହାରରେ ଏହି ଫୁଲ ଲାଗି କରାଯିବା ଆରମ୍ଭ ହୋଇଥିଲା। ପ୍ରାୟ ୩ ଘଣ୍ଟା ଅର୍ଥାତ୍‌ ରାତି ଗୋଟାଏରେ ଏହା ସରିଥିଲା। ବ୍ରହ୍ମଗିରିର ଜଣେ ମାଳୀ ପ୍ରତିବର୍ଷ ଏହି ଫୁଲ ଯୋଗାଇ ଆସୁଛନ୍ତି।

Share