ମଙ୍ଗଳାବାଗସ୍ଥିତ ଶ୍ରୀ ଗୋପାଳ ମେଡିସିନ ଆଣ୍ଡ ସର୍ଜିକାଲ ଗୋଦାମରେ ନିଆଁ: ପୋଡ଼ିଗଲା ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ

କଟକ ଅଫିସ, ୩୦।୧୧- ମଙ୍ଗଳାବାଗ ଥାନାଠୁ ମାତ୍ର ଶହେ ମିଟର ଦୂରରେ ଥିବା ଶ୍ରୀଗୋପାଳ ମେଡିସିନ୍‌ ଆଣ୍ଡ ସର୍ଜିକାଲ ଗୋଦାମରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗୋଦାର ୫ଟି ଘରେ ମହଜୁଦ ଥିବା ୬୦ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ସର୍ଜିକାଲ ସାମଗ୍ରୀ ଓ ମେଡ଼ିସିନ ପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ଲିଭାଇବା ପାଇଁ କଟକ ଅଗ୍ନିଶମ ବାହିନୀର ୩ଟି, ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ ଏବଂ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ଗୋଟିଏ ଲେଖାଏଁ ଗାଡ଼ି ନିୟୋଜିତ ହୋଇଥିଲା । ସେହିପରି ୬ଜଣ ଅଧିକାରୀଙ୍କ ଅଧୀନରେ ୩୦ଜଣ ଅଗ୍ନିଶମ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ମଙ୍ଗଳାବାଗ ଥାନାର କର୍ମଚାରୀ ତଥା ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିଥିଲା। ସର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ସବୁ ଗୋଦାମରେ ଅଗ୍ନିନିର୍ବାପକ ଯନ୍ତ୍ର ରହିବା ନିୟମ ରହିଥିବାବେଳେ ଏହି ଗୋଦାମରେ କୌଣସି ଅଗ୍ନିନିର୍ବାପକ ଯନ୍ତ୍ର ନ ଥିଲା । ଯେଉଁଥିପାଇଁ ନିଆଁକୁ ପ୍ରଥମରୁ ଲିଭାଇବା ସମ୍ଭବପର ହୋଇ ପାରି ନ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Share