ମଙ୍ଗଳ ଗ୍ରହରୁ ଶୁଖିବାରେ ଲାଗିଛି ଜଳୀୟ ଅଂଶ

ଓ୍ବାଶିଂଟନ, ୧୧।୧: ମଙ୍ଗଳରେ ଜୀବନ ଥିବା ନେଇ ମହାକାଶ ବିଜ୍ଞାନୀମାନେ ଦାବି କରିଥିବାବେଳେ ଏବେ ଜଣାପଡ଼ିଛି ଯେ ଧୀରେଧୀରେ ଏଠାରେ ଥିବା ଜଳୀୟ ଅଂଶ ଶୁଖିବାରେ ଲାଗିଛି। ଏକ୍ସୋ ମାର୍ସ ମିଶନରୁ ଏହା ଜଣାପଡ଼ିଛି। ଫ୍ରେଞ୍ଚ୍‌ ନ୍ୟାସନାଲ ସେଣ୍ଟର ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି, ମଙ୍ଗଳ ଗ୍ରହର ବାୟୁମଣ୍ଡଳର ଉପର ଭାଗରେ ଥିବା ଜଳୀୟ ଅଂଶ ଆବଶ୍ୟକତା ଅନୁସାରେ ଶୀଘ୍ର ଶୁଖିବାରେ ଲାଗିଛି। ଏଭଳି କାହିଁକି ହେଉଛି ସେ ନେଇ ଅଧିକ ଗବେଷଣା ଜାରି ରହିଥିବା ମହାକାଶ ବିଜ୍ଞାନୀ ପ୍ରକାଶ କରିଛନ୍ତି। ଜଳକଣାର ରାସାୟନିକ ବିଘଟନ ହୋଇ ଉଦ୍‌ଜାନ ଏବଂ ଅମ୍ଳଜାନ ସୃଷ୍ଟି ହେଉଛି। ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଏଭଳି ପ୍ରକିୟାକୁ ରୋକିବାରେ ଅସଫଳ ହେଉଥିବା ଅନୁମାନ କରାଯାଉଛି। ୨୦୨୦ରେ ଛଡ଼ାଯିବାକୁ ଥିବା ମାର୍ସ ରୋଭର ମଙ୍ଗଳ ଗ୍ରହରେ ଜୀବନ ଖୋଜିବା ସହିତ ଭବିଷ୍ୟତରେ ଏଠାରେ ମଣିଷ ବସତି ସ୍ଥାପନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୃଥିବୀକୁ ପ୍ରେରଣ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ୨ ଶହ ୟାର୍ଡ ପର୍ଯ୍ୟନ୍ତ ଘୁରବୁଲିି ଏହି ରୋଭର ୨୩ଟି କ୍ୟାମେରା ଦ୍ୱାରା  ମଙ୍ଗଳ ଭୃପୃଷ୍ଠ ସମ୍ପର୍କରେ ଚିତ୍ର ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରିବାବୁ ସକ୍ଷମ ହେବ।

Share