ମଙ୍ଗଳ ଗ୍ରହକୁ ନେଇ ବିଭିନ୍ନ ଦେଶରେ ମହାକାଶବିଜ୍ଞାନୀ ଗବେଷଣା ଜାରି ରଖିଛନ୍ତି। ସେଠାରେ ଲୁକ୍କାୟିତ ବିଭିନ୍ନ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ବେଶ କିଛି ବର୍ଷ ଧରି ନିଜର ପ୍ରୟାସ ଜାରି ରଖିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’। ଏହି ସଂସ୍ଥା ପକ୍ଷରୁ ମଙ୍ଗଳ ଗ୍ରହର ଜଳବାୟୁ ସମ୍ପର୍କିତ ନୂଆ ତଥ୍ୟ ଜାଣିବାକୁ ଖୁବ୍ ଶୀଘ୍ର ଏକ ଉପଗ୍ରହ ପ୍ରେରଣ କରାଯିବ ବୋଲି ସୂଚନା ଦିଆଯାଇଛି। ବିଶେଷଭାବରେ ସେଠାକାର ଜଳବାୟୁରେ ଜୀବସତ୍ତା ସମ୍ଭବ କି ନାହିଁ ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ମଙ୍ଗଳ ଗ୍ରହର ପରିବେଶ, ସେଠାରେ ପାଣି ଅଛି କି ନାହିଁ ଏବଂ ସେପରି ଅଞ୍ଚଳରେ ମଣିଷ ବସବାସ କରିପାରିବ କି ନାହିଁ ତା’ ଉପରେ ତର୍ଜମା କରାଯିବ। ନିକଟରେ ମଙ୍ଗଳ ଗ୍ରହରେ ‘ନାସା’ ଚାରୋଟି ବଡ ବଡ ପର୍ବତର ସନ୍ଧାନ ପାଇଛି। ଏହି ଗ୍ରହରେ ଜୀବସତ୍ତାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ‘ନାସା’ର ମହାକାଶବିଜ୍ଞାନୀମାନେ। ତେବେ ଏପରି ପ୍ରଚେଷ୍ଟା କେତେ ଫଳପ୍ରସୂ ହେଉଛି ତାହା ଆଗକୁ ହିଁ ଜଣାପଡିବ।