ମଜୁରି ପୈଠ, ଇପିଏଫ୍‌ ଉପରେ ନଜର ରଖିବ ‘ଇ-ମଷ୍ଟରରୋଲ’

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ସହ ଇପିଏଫ୍‌ ଓ ଇଏସଆଇ ଆଦି ପୈଠ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଇ-ମଷ୍ଟରରୋଲ ନାମରେ ନୂତନ ବୈଷୟିକ କୌଶଳ ପ୍ରୟୋଗ କରିବେ। ସରକାର ଏଥିପାଇଁ ନୀତିଗତ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ପୂର୍ତ୍ତ ସଚିବ କ୍ରିଷନ କୁମାର ଏହି ବିଷୟରେ ବୈଷୟିକ ପ୍ରୟୋଗର ପ୍ରୟୋଜନୀୟତା ଏବଂ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଇ-ମଷ୍ଟରରୋଲର ବୈଷୟିକ, ପ୍ରଶାସନିକ ଓ ଆର୍ଥିକ ଦିଗଗୁଡିକୁ ବିଚାର କରି ଭିତ୍ତିଭୂମି ନିର୍ମାଣ କରୁଥିବା ବିଭାଗଗୁଡିକ ଏହାର ପରୀକ୍ଷାମୂଳକ ପ୍ରୟୋଗ କରିବାକୁ କୁହାଯାଇଛି। ଏହି ସଫ୍ଟଓ୍ବେରକୁ ଇ-ଶ୍ରମିକ, ଇଏସ୍‌ଆଇ ଏବଂ ଇପିଏଫ୍‌ ତଥ୍ୟଭିତ୍ତିକ ସହିତ ସଂଯୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ନଗର ଓ ଗୃହ ଉନ୍ନୟନ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କିଛି ପ୍ରକଳ୍ପରେ ଏହି ପରୀକ୍ଷାମୂଳକ ପ୍ରୟୋଗ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ଆଲୋଚନା ଶେଷରେ ମିଳିଥିବା ସୂଚନା ମୁତାବକ, ଉକ୍ତ ସଫ୍ଟଓ୍ବେର ମୁଖ୍ୟତଃ ୩ଟି ଉଦ୍ଦେଶ୍ୟ ସାଧନ କରିବ। ଶ୍ରମିକମାନଙ୍କ ମଜୁରି, ଇପିଏଫ୍‌ ଓ ଇଏସ୍‌ଆଇ ପୈଠ ଆଦି ଉପରେ କର୍ତ୍ତୃପକ୍ଷମାନେ ଅନଲାଇନ୍‌ରେ ନଜର ରଖିପାରିବେ। ଠିକ୍‌ ସମୟରେ ବୈଦ୍ୟୁତିକ ପ୍ରକ୍ରିୟାରେ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ପ୍ରାପ୍ୟ ପଠାଯାଉଛି ନା ନାହିଁ ସେନେଇ ତଦାରଖ କରିହେବ। ଠିକାଦାର ତଥ୍ୟଭିତ୍ତିକ ପରିବର୍ତ୍ତନ ପାଇଁ ଆସୁଥିବା ବିଭିନ୍ନ ଦରଖାସ୍ତର ମଧ୍ୟ ଉପଯୁକ୍ତ ପରିଚାଳନା ହୋଇପାରିବ। ବର୍ତ୍ତମାନ ମୁଖ୍ୟ ଭାବେ ଭିତ୍ତିଭୂମି ନିର୍ମାଣ କରୁଥିବା ୫ଟି ବିଭାଗ ଠିକାଦାର ତଥ୍ୟଭିତ୍ତିକ ବ୍ୟବସ୍ଥା ପ୍ରୟୋଗ କରାଇଛନ୍ତି। ଇ-ମଷ୍ଟରରୋଲ ବାବଦରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କୁ ଠିକ୍‌ ଭାବେ ସଚେତନ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Share