ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଇଞ୍ଜିନରେ ନିଆଁ ଲାଗିଯାଇଥିବା ବେଳେ ବିମାନ ଭିତରେ ତାପମାତ୍ରା ବୃଦ୍ଧି ପାଇବା ସହ କ୍ୟାବିନ ଭିତର ଧୂଆଁମୟ ହୋଇ ଏସି ବନ୍ଦ ହୋଇଯାଇଥିଲା। ଏନେଇ ବିମାନରେ ଥିବା ୧୪୮ରୁ ଊର୍ଦ୍ଧ୍ୱ ଯାତ୍ରୀ ଭୟଭୀତ ହେବା ସହ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଯାତ୍ରୀମାନେ ବିପଦରୁ ରକ୍ଷା ପାଇବା ପାଇଁ ଭଗବାନଙ୍କୁ ଡାକୁଥିବା ବେଳେ କିଏ ମୋବାଇଲ ନେଟଓ୍ବର୍କ ନ ଥିବା ସତ୍ତ୍ୱେ ନିଜ ଘରକୁ ଶେଷ ବାର୍ତ୍ତା ପଠାଇଥିଲେ। ସେହି ସମୟରେ ପାଇଲଟ ନିକଟସ୍ଥ ବିମାନବନ୍ଦର ସହ ଯୋଗାଯୋଗ କରି ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ନେଇ ଜଣାଇଥିଲେ। ଏହାପରେ ନର୍ଥ କାରୋଲିନାରେ ବିମାନ ଜରୁରୀ ଅବତରଣ କରିଥିଲା। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଅପରପକ୍ଷରେ ବିମାନଟି ଗନ୍ତବ୍ୟସ୍ଥଳରେ ନ ପହଞ୍ଚିବାରୁ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ଖାଦ୍ୟ ପାଇଁ ୩୦ ଡଲାର(ପ୍ରାୟ ୨ହଜାର ଟଙ୍କା) ଦିଆଯାଇଥିଲା। ତେବେ ଏହି ସମୟର ଦୃଶ୍ୟକୁ ଜଣେ ଯାତ୍ରୀ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଏବେ ଭାଇରାଲ କରିଛନ୍ତି।

Share