Categories: ଭଦ୍ରକ

ମଞ୍ଜି ବିକାଳିଙ୍କ ବଡ଼ ହୃଦୟ: -ସ୍ବତନ୍ତ୍ର ଦିନରେ ବଡ଼ଦାଣ୍ଡରେ ବୁଲି ବାଣ୍ଟନ୍ତି ଚା, ପାନ

ପୁରୀ ଅଫିସ, ୧୪।୧୧- କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଏହାକୁ ଯିଏ ଭଲ ଭାବେ ବୁଝିଛି ତା’ ପାଇଁ ବୟସ କି ପଥ କିଛି ଫରକ୍‌ ପଡ଼େ ନାହିଁ। ଯେତେ ଦୂର ହୋଇଥାଉ ନା କାହିଁକି ମାନବ ସେବା ପାଇଁ ସେ ଧାଇଁଯାଏ। ସମାଜରେ ଏମିତି କ୍ବଚିତ୍‌ ଲୋକ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ବିଜୟ ନାୟକ। ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମୁବାରକପୁର। ବୟସ ୫୮ ଛୁଇଁଲାଣି। କିଛି ସ୍ବତନ୍ତ୍ର ଦିନରେ ସେବା ଯୋଗାଇ ଦେବାକୁ ଛୁଟିଆସନ୍ତି ପବିତ୍ର ଶ୍ରୀକ୍ଷେତ୍ର ମାଟିକୁ। ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ବିନା ସ୍ବାର୍ଥରେ ସେବାକୁ ଆଦରି ନିଅନ୍ତି। ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ବୁଲି ବୁଲି ଶ୍ରଦ୍ଧାଳୁଙ୍କୁ ଚା ଏବଂ ପାନ ବାଣ୍ଟୁଥିଲେ ବିଜୟ।
ବିଜୟ ପେସାରେ ମଞ୍ଜି ବିକାଳି। ଘର ପାଖ ବିଭିନ୍ନ ହାଟକୁ ପନିପରିବା ମଞ୍ଜି ନେଇ ବିକ୍ରି କରିଥାନ୍ତି। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ଚଳିଥାନ୍ତି। ତେବେ ତାଙ୍କ ହୃଦୟ ବହୁତ ବଡ଼। ମାନବ ସେବା ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା। ଏବେ ଭିନ୍ନ ଏକ ସେବା କରିବାର ସୁଯୋଗ ତାଙ୍କୁ ଆତ୍ମତୃପ୍ତି ଦେଉଛି। ବଡ଼ଦାଣ୍ଡରେ ଭକ୍ତଙ୍କୁ ବୁଲି ବୁଲି ମାଗଣାରେ ଚା ପାନ ବାଣ୍ଟିବା ଇଚ୍ଛା କାହିଁକି ହେଲା ପ୍ରଶ୍ନରେ ବିଜୟ କୁହନ୍ତି, ପ୍ରାୟ ୧୫ ବର୍ଷ ପୂର୍ବରୁ ଥରେ ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲି। ବଡ଼ଦାଣ୍ଡରେ ଗାମୁଛାଟିଏ ପାରି ଘରୁ ଆଣିଥିବା ପାନ ଭାଙ୍ଗୁଥାଏ। ଏହି ସମୟରେ ଜଣେ ବ୍ୟକ୍ତି ପାନ ମାଗିଲେ ଏବଂ କେତେ ପଇସା ନେବ ବୋଲି ପଚାରିଲେ। ପାନ ଖଣ୍ଡିଏ ପାଇଁ ପଇସା କଥା ପଚାରିବା ସେଦିନ ମୋ ମନକୁ ଆନ୍ଦୋଳିତ କଲା। କିଛି ସମୟରେ ପରେ ଜଣେ ବୃଦ୍ଧା ପହଞ୍ଚତ୍ ପାନ ମାଗିଲେ। ତାଙ୍କୁ ଦେଲି। ସେ ଖାଇ ମୋ ମୁଣ୍ଡରେ ହାତ ବୁଲାଇ କହିଲେ, ଏମିତି ବଡ଼ଦାଣ୍ଡରେ ଲୋକଙ୍କୁ ପାନ ଦେଉଥା, ଜଗନ୍ନାଥ ତୋ’ର ମଙ୍ଗଳ କରିବେ। ଏହି କଥା ମନେ ଥିଲା। ତା’ ପରବର୍ଷ ରଥଯାତ୍ରାକୁ ଗୋଟା ପାନ ୨କଡ଼ା, ଗୁଆ ମସଲା ଆଣି ରଥଯାତ୍ରା ଦିନ ବଡ଼ଦାଣ୍ଡରେ ବାଣ୍ଟିଲି। ସେବେଠାରୁ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଏମିତି ପାନ ବାଣ୍ଟେ। ୩/୪ ବର୍ଷ ହେବ ପଞ୍ଚୁକ ଦିନ ଶ୍ରଦ୍ଧାଳୁଙ୍କୁ ଲେମ୍ବୁ ଚା ବାଣ୍ଟୁଛି। ମହାପ୍ରଭୁ ଯେତେଦିନ ଯାଏ ଚାହିଁବେ ଏମିତି ସେବା ଯୋଗାଉଥିବି। ବିଜୟଙ୍କ ମତରେ ସବୁଦିନେ ଘରେ ଶୋଉଛେ, ଦିନେ ଅଧେ ଜଗନ୍ନାଥଙ୍କ ଡନ୍‌ଲପ ଗଦି (ବଡ଼ଦାଣ୍ଡର ଖୋଲା ଆକାଶ ତଳ)ରେ ସମସ୍ତେ ଶୁଅନ୍ତୁ। ସେ ଅନୁଭୂତି ସବୁଦିନ ମନେ ରହିବ।