Categories: ଖେଳ

ମଞ୍ଜୁଳାମଣି ରାଜ୍ୟ ଓପନ ବ୍ଲିଜ୍‌ ଚେସ୍‌: ସ୍ବୟମ୍ସ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଓ ଆମ ପରିବାରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜାଭିୟର ଛକସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ରବିବାର ମଞ୍ଜୁଳାମଣି ମିଶ୍ର ରାଜ୍ୟ ଓପନ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ୭ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ରାଜ୍ୟର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ସ୍ବୟମ୍ସ ମିଶ୍ର ପୂରା ୭ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ମନିଷ କୁମାର, ସଞ୍ଜିବନ ନାୟକ, ନୀଲ୍‌ସୁ ପଟ୍ଟନାୟକ, ଏସ. ସତ୍ୟକାମ, ପ୍ରିୟଂଶ ଦାସ, ଦେବୀ ପ୍ରସାଦ ନାୟକ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ୬ ପଏଣ୍ଟ ଲେଖାଏ ପାଇଥିବାବେଳେ ଟାଇବ୍ରେକର ପଦ୍ଧତିରେ ଯଥାକ୍ରମେ ଦ୍ୱିତୀୟରୁ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ଜଗଦୀଶ ବାରିକ ଏବଂ ବିବେକ କୁମାର ତିବରଓ୍ବାଲ ୫.୫ ପଏଣ୍ଟ ଲେଖାଏ ହାସଲ କରି ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ବୟସ ବର୍ଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କାର ଭାବରେ ୧୫,୦୦୦ଟଙ୍କାର ଅର୍ଥରାଶି ସହ ଟ୍ରଫି ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ଭେଟେରାନ ବର୍ଗରେ ଏସ. ସୁନ୍ଦରରାଜନ, ୬ ବର୍ଷରୁ କମ୍‌ ବୟସ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ଓ ସ୍ମୃତିରଞ୍ଜନ ସାହୁ, ୭ ବର୍ଷରୁ କମ୍‌ ବୟସ ବର୍ଗରେ ଆର୍ଯ୍ୟନ ବେହେରା ଓ ହର୍ଷିତ ସିଂ, ୯ ବର୍ଷରୁ କମ୍‌ ବିଭାଗରେ ଆଦିତ୍ୟ ବିକ୍ରମ ମିଶ୍ର ଓ ଶ୍ରଦ୍ଧା ମିଶ୍ର, ୧୧ ବର୍ଷରୁ କମ୍‌ରେ କୌସ୍ତୁଭ ଦାଶ ଓ ୟଶିତା ରାଉତ, ୧୩ ବର୍ଷରୁ କମ୍‌ରେ ସୌରଭ କର ଓ ପି. ସାଇରୂପା ଯଥାକ୍ରମେ ବାଳକ ଓ ବାଳିକା ବର୍ଗରେ ଚାମ୍ପିୟନ ହୋଇଥିଲେ। ଏହି ପ୍ରତିଯୋଗିତାରେ ୫୧ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ସହ ମୋଟ ୧୪୧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅଙ୍କିତା ସାହୁ ଶ୍ରେଷ୍ଠ ମହିଳା ଓ ନିପୁନ ଆଦିତ୍ୟ ମହାନ୍ତି ଶ୍ରେଷ୍ଠ ଦିବ୍ୟାଙ୍ଗ ଖେଳାଳିଭାବେ ପୁରସ୍କୃତ ହୋଇଥିଲେ। ରଞ୍ଜନ ମହାପାତ୍ର, ଅଜୟ ନାୟକ ଓ ବିନୋଦିନୀ ମିଶ୍ର ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅବକାରୀ ସଚିବ ସୁଶିଲ କୁମାର ଲୋହାନୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲା ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଏସଆର ଚେସ୍‌ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ‘ଆମ ପରିବାର’ ଅନୁଷ୍ଠାନ ପକ୍ଷରୁ ଡ. ନଳିନୀ ପଟ୍ଟନାୟକ, ରାଜନାରାୟଣ ତ୍ରିପାଠୀ, ମହେଶ୍ୱର ବିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବୟମ୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ତର୍ଜାତୀୟ ଆର୍ବିଟର ତାପସ ମହାନ୍ତି, ଫିଡେ ଆର୍ବିଟର ଜ୍ୟୋତିରଞ୍ଜନ ନନ୍ଦ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ସତ୍ୟଜିତ ପଟ୍ଟନାୟକ, ପ୍ରଶାନ୍ତ ଜେନା, ଅବିନାଶ ଦାସ, ପ୍ରଣବ ମହାନ୍ତି, ସୂର୍ଯ୍ୟମିତ୍ର ସେନ୍‌ ଏବଂ ଆଶୁତୋଷ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Share