ମଟନ ପାଇଁ ଆସି ଔଷଧ ନେବା ଆଳ

ଖୋର୍ଦ୍ଧା ଅଫିସ,୧୮ା୪: ଲକଡାଉନ ବେଳେ ମାସ୍କ ନ ପିନ୍ଧିଲେ ଓ ବିନା କାରଣରେ ବାଇକରେ ବୁଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ କେତେଜଣ ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଥିବା ନଜରକୁ ଆସିଛି। ଅନେକ ବ୍ୟକ୍ତି ପୋଲିସ ଓ ପ୍ରଶାସନ ଆଖିରେ ଧୂଳି ଦେଇ ହାତରେ ପୁରୁଣା ଔଷଧ ଚିଠା ଧରି ବଜାରରେ ବୁଲୁଛନ୍ତି। ଶୁକ୍ରବାର ଖୋର୍ଦ୍ଧା ସହରର ପୋଷ୍ଟ ଅଫିସ ଛକ ନିକଟରେ ଯାଞ୍ଚ ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ଏକ ପୁରୁଣା ପ୍ରେସ୍‌କିପ୍‌ଶନ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଅଟାଇଥିଲେ। ନିଜକୁ ଜଣେ ରୋଗୀ ଏବଂ ଔଷଧ କିଣିବା ଲାଗି ଆସିଥିବା ସେ କହିଥିଲେ। ତେବେ ପୋଲିସ ସମ୍ପୃକ୍ତ ପ୍ରେସ୍‌କିପ୍‌ଶନ ଯାଞ୍ଚ କରିବାରୁ ତାଙ୍କ ମିଛ ଧରାପଡ଼ିଯାଇଥିଲା। ମଟନ କିଣିବା ଲାଗି ବଜାରକୁ ଆସିଥିବା ସେ ସ୍ବୀକାର କରିଥିଲେ। ପୋଲିସ ଭୟରେ ଏକ ପୁରୁଣା ପ୍ରେସ୍‌କିପ୍‌ଶନ ଧରି ବୁଲୁଥିବା କହିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ ପ୍ରତିଦିନ ଶତାଧିକ ଯୁବକ ମେଡିସିନ୍‌ କିଣିବା ତଥା ମେଡିକାଲ ଯିବା ବାହାନାରେ ବୁଲୁଛନ୍ତି ବୋଲି ଖୋର୍ଦ୍ଧା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି।

Share