ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୦ା୧ : ସର୍ବଭାରତୀୟସ୍ତରୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ରବିବାର ଉଦ୍‌ଘାଟିତ ହୋଇଛି ା ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସନ୍ଧ୍ୟା ସଭାରେ ମୁଖ୍ୟଅତିଥି ଭାବେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ ମଠଖାଇ ମହୋତ୍ସବର ଜୟଯାତ୍ରା ଉପରେ କହିଥିଲେ ା ମଠଖାଇ ମହୋତ୍ସବ ସର୍ବଭାରତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଏହାରି ମାଧ୍ୟମରେ ସାମାଜିକ ସଂସ୍କାର ଓ ସାଂସ୍କୃତିକ ଉନ୍ନତି ହୋଇ ଚାଲିଛି କହି ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ ା କଳା ଓ ସଂସ୍କୃତିର ଉନ୍ନତି ପାଇଁ ପୃଷ୍ଠପୋଷକତାର ଆବଶ୍ୟକତା ରହିଛି ବୋଲି କହିଥିଲେ। ମଠଖାଇ ମହୋତ୍ସବ ଆୟୋଜନ ପାଇଁ ବିଧାୟକ ମିଶ୍ରଙ୍କୁ ସେ ସାଧୁବାଦ ଜଣାଇଥିଲେ ା ବିଧାୟକ ମିଶ୍ର ସଭାପତୀୟ ଅଭିଭାଷଣ ଦେଇ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଲାବୁଢ଼ାର ବଦ୍‌ଲା ଚଳଚ୍ଚିତ୍ର ଉପରେ କହି ୧୫୦ତମ ଜୟନ୍ତୀ ବର୍ଷରେ ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ ା ହିଂସାର ପ୍ରତିଶୋଧ ଅହିଂସାରେ ନେଇହୁଏ ା ଘୃଣାର ବଦ୍‌ଲା ପ୍ରେମ ଓ ଭଲ ବୋଲି କହିଥିଲେ ା ମଠଖାଇ ମହୋତ୍ସବର ନାଟକ ଜରିଆରେ ସାମାଜିକ ପରିବର୍ତ୍ତନ ଓ ସାଂସ୍କୃତିକ ଉତ୍କର୍ଷତା କାର୍ଯ୍ୟ କରାଯାଉଛି ବୋଲି କହିଥିଲେ ା
ଏହି ଅବସରରେ ବଲାଙ୍ଗୀରର ଆର୍ନ୍ତଜାତିକ କ୍ରୀଡା ପ୍ରତିଭା ପ୍ରଣତୀ ମିଶ୍ରଙ୍କୁ ଉଲ୍ଲେଖନୀୟ କ୍ରୀଡା ଅବଦାନ ପାଇଁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା ା ସଭାକୁ ରାଜୀବ ଲୋଚନ ଆଚାର୍ଯ୍ୟ ସଂଯୋଜନା କରିଥିବାବେଳେ ରାମଚନ୍ଦ୍ର ସାହୁ ବକ୍ତବ୍ୟ ରଖିଥିଲେ ା ନିଗମାନନ୍ଦ ନାଥ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ା ସଭା ପ୍ରାରମ୍ଭରୁ ପଞ୍ଚମ ଅନୁଷ୍ଠାନର କଳାକାରମାନେ ପୁତ୍‌ଲିବିହା ନୃତ୍ୟ ନାଟକ ପରିବେଷଣ କରିଥିଲେ ା ଶେଷରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ା ପ୍ରଥମ ଦିନର ମଞ୍ଚକୁ ସ୍ବର୍ଗତ କଳାକାର ରାମଚନ୍ଦ୍ର ପ୍ରତିହାରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା ା ସକାଳ ୮ଟାରେ ମଠଖାଇ ପାହାଡ ପାଦଦେଶରେ ଥିବା ମଠଖାଇ ମନ୍ଦିରରୁ ନାଟ୍ୟ ଜ୍ୟୋତି ଅଣାଯିବା ପରେ ମଠଖାଇ ମହୋତ୍ସବ ଅଧ୍ୟକ୍ଷ ବିଧାୟକ ମିଶ୍ର ଏହାକୁ ଗ୍ରହଣ କରିଥିଲେ ା ଏହାପରେ କୋଶଳ କଳାମଣ୍ଡଳ ପଡିଆ ନୂଆମଞ୍ଚରେ ମଠଖାଇ ଜ୍ୟୋତି ସଂସ୍ଥାପନ କରାଯାଇଥିଲା ା ପୂର୍ବାହ୍ନ ପ୍ରାୟ ୧୦ଟାରୁ କୋଶଳ କଳାମଣ୍ଡଳ ପଡିଆରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବା ଥିଏଟର ମାର୍ଚ୍ଚ ଆରମ୍ଭ ହୋଇଥିଲା ା

Share