‘ମଠ ଧ୍ୱଂସସ୍ତୁପ ଉପରେ ବିକାଶର ଚିତ୍ର ଅଙ୍କା ନ ଯାଉ’

ପୁରୀ ଅଫିସ,୧୮ା୯: ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବୁଧବାର ପୁରୀର ମଠ ସଂସ୍କୃତି, ଐତିହ୍ୟ ସଂରକ୍ଷଣ ଓ ଶ୍ରୀକ୍ଷେତ୍ର ବିକାଶ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଠ ଉଚ୍ଛେଦକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ସୁରକ୍ଷା ସହ ଶ୍ରୀକ୍ଷେତ୍ରର ବିକାଶ ହେବା ସମସ୍ତେ ଚାହାଁନ୍ତି, ମାତ୍ର ଏହି ଚିତ୍ର ମଠଗୁଡ଼ିକର ଧ୍ୱଂସସ୍ତୁପ ଉପରେ ଅଙ୍କାଯିବା ଉଚିତ ନୁହେଁ ବୋଲି ଆଲୋଚକମାନେ ମତ ରଖିଛନ୍ତି।
ଗୋଟିଏ ପଟେ ଶ୍ରୀକ୍ଷେତ୍ରର ବିକାଶକୁ ବୁଦ୍ଧିଜୀବୀ, ସଂସ୍କୃତି ଗବେଷକମାନେ ସ୍ବାଗତ କରିଥିବାବେଳେ ମଠ ସଂସ୍କୃତି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ପ୍ରଫେସର କାର୍ତ୍ତିକ କୁମାର ସାହୁ କହିଛନ୍ତି, ଭାରତର ପ୍ରସିଦ୍ଧ ମନ୍ଦିରଗୁଡ଼ିକ ମଧ୍ୟରୁ ପୁରୀ ଶ୍ରୀମନ୍ଦିର ଅନ୍ୟତମ। ଏହାକୁ ଅନ୍ୟ ମନ୍ଦିର ସହିତ ତୁଳନା କରାଯିବା ଠିକ୍‌ ହେବନାହିଁ। ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା ବିକାଶରେ ଏଠାକାର ମଠଗୁଡ଼ିକର ବିଶେଷ ଭୂମିକା ରହିଛି। ଏହି ମଠଗୁଡ଼ିକର ପୁନରୁଦ୍ଧାର କରାଯିବା ପରିବର୍ତ୍ତେ ଭଙ୍ଗାଯିବା ନିନ୍ଦନୀୟ। କାକଟପୁରର ସନାତନ ବିଶ୍ୱାଳ କହିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱକୁ ଆକର୍ଷିତ କରୁଛି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ମଠଗୁଡିକର ବିଶେଷ ଭୂମିକା ରହିଛି। ମଠ ଆମ ମନରେ ଧାର୍ମିକ ଓ ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ। ମଠ, ମନ୍ଦିର ନ ରହିଲେ, ଆମ ସଂସ୍କୃତି ନଷ୍ଟ ହୋଇଯିବ। ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ଓ ମଠ ସଂସ୍କୃତି ଓତଃପ୍ରୋତ ଭାବେ ଜଡ଼ିିତ। ତେଣୁ ଏହାର ସଂରକ୍ଷଣ ଓ ସୁରକ୍ଷା ହେବା ଉଚିତ। ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ଏବଂ ପ୍ରଫେସର ଚତୁର୍ଭୂଜ ଭୂୟାଁ ମଠ ସଂସ୍କୃତି ଉଜ୍ଜୀବିତ ରହୁ ବୋଲି ମତବ୍ୟକ୍ତ କରିଥିଲେ। ସଙ୍ଗଠକ ପ୍ରଭାତ ମହାପାତ୍ର କହିଥିଲେ, ସଂସ୍କୃତି ଆମ ପରିଚୟ। ସଂସ୍କୃତି ହଜିଲେ, ଆମ ଅସ୍ତିତ୍ୱ ହଜିଯିବ। ଶ୍ରୀକ୍ଷେତ୍ରର ବିକାଶ ହେଉ, କିନ୍ତୁ ମଠଗୁଡ଼ିକୁ ଧ୍ୱଂସ କରା ନ ଯାଉ। ସେହିପରି ଶିକ୍ଷାବିତ୍‌ କେ.ସି. ମହାରଥା, ଶ୍ରୀକ୍ଷେତ୍ର ଯୁବା ମଞ୍ଚ ଆବାହକ ସୌଭାଗ୍ୟ ଦାଶ, ସାମାଜିକ କର୍ମୀ ଦୀପକ ନାୟକ, ପ୍ରଦୀପ କୁମାର ଧଳ, ଶ୍ରୀକ୍ଷେତ୍ର ଯୁବା କ୍ଲବ ଆବାହକ ଅନିଲ କୁମାର ସାହୁ ପ୍ରମୁଖ ମଠ ସଂସ୍କୃୃତିର ସଂରକ୍ଷଣ ଉପରେ ଯୁକ୍ତି ବାଢିଥିଲେ। ପ୍ରଫେସର ଅଦ୍ୱୈତ ଚରଣ ଧଳ, ସଦ୍‌ଭାବନା ପରିଷଦର ପ୍ରାନ୍ତ ସଂଯୋଜକ ରାଜକିଶୋର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଶାନ୍ତ ଭୂୟାଁ ଏବଂ ସଚ୍ଚି ନନ୍ଦନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share