Categories: ଫୁରସତ

ମଡ୍‌ କୁକିଜ୍‌

ବିବାହ, ବ୍ରତ ହେଉ ଅବା କୌଣସି ଫଙ୍କ୍‌ଶନ୍‌, ଅନେକ ସୁସ୍ବାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଏ। ଲୋକେ ଯେତିକି ଖାଆନ୍ତି ନଷ୍ଟ ଅଧିକ କରନ୍ତି। କୁଢ଼ କୁଢ଼ ଖାଦ୍ୟ ଅଳିଆଗଦାକୁ ଯାଏ। ତେବେ ଖାଲି କୌଣସି କାର୍ଯ୍ୟକ୍ରମରେ ନୁହେଁ ଏମିତିକି ଘରେ ଘରେ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ୟୁନାଇଟେଡ ନେଶନ୍‌ସର ଫୁଡ୍‌ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେଶନ୍‌ର ରିପୋର୍ଟ ମୁତାବକ ପ୍ରାୟ ୧.୩ ଟନ୍‌ ଖାଦ୍ୟ ଉପଯୋଗୀ ଜିନିଷ ଅଳିଆଗଦାରେ ପକାଇ ଦିଆଯାଏ। କିନ୍ତୁ ପୃଥିବୀର ଏମିତି କିଛି ସ୍ଥାନ ଅଛି, ଯେଉଁଠି ଲୋକେ ଖାଇବାକୁ ନ ପାଇ ଅନାହାରରେ ମରି ମରି ଜିଅନ୍ତି। କିଛି ସ୍ଥାନରେ ତ ପେଟ ଚାଖଣ୍ଡକର ଜ୍ୱାଳା କମାଇବା ଲାଗି ଲୋକେ ଅଖାଦ୍ୟ ଖାଇବାକୁ ବାଧ୍ୟ ହୁଅନ୍ତି। ଯେମିତିକି ହୈତିରେ ଲୋକେ କାଦୁଅରେ ବିସ୍କୁଟ କରି ଖାଆନ୍ତି। ଫଳରେ ସେମାନେ ଅନେକ ରୋଗର ଶିକାର ହେଉଛନ୍ତି। ହେଲେ ପେଟର ଜ୍ୱାଳାକୁ ଶାନ୍ତ କରିବା ପାଇଁ ସେମାନେ ଏଭଳି କରିବାକୁ ବାଧ୍ୟ। ସେମାନେ ପାହାଡ଼ର ମାଟିକୁ ବରଦାନ ଭାବନ୍ତି। କାରଣ ଅନ୍ୟ ଖାଦ୍ୟ ନ ମିଳିବାରୁ ସେମାନେ ସେହି ମାଟିରେ ପାଣି ଓ ବନସ୍ପତି ତେଲ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତି। ଆଉ ତା’ପରେ ତାକୁ ବିସ୍କୁଟର ଆକାର ଦେଇ ଖରାରେ ଶୁଖାନ୍ତି। ଶୁଖିବା ପରେ ତାକୁ ଖାଇଥାଆନ୍ତି। ନିଜ ପିଲାକୁ ସେମାନେ ଫଳମୂଳ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦେବାକୁ ଚାହାନ୍ତି। ହେଲେ ଟଙ୍କା ନ ଥିବାରୁ ସେମାନେ ଏହି କାଦୁଅ ବିସ୍କୁଟ୍‌ ବା ମଡ୍‌ କୁକିଜ୍‌ ଦେଇଥାଆନ୍ତି।

Share