ମଣିଷ ଶୋଇଲେ ଶୋଇଯାଏ କରୋନା କହିଲେ ପାକିସ୍ତାନୀ ଧର୍ମଗୁରୁ

ଇସଲାମାବାଦ୍‌, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ପାକିସ୍ତାନର କେତେକ ଧର୍ମଗୁରୁ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଭୁଲ ତଥ୍ୟ ପ୍ରଚାର କରାଉଛନ୍ତି। ସମ୍ପ୍ରତି ପାକିସ୍ତାନର ଜଣେ ଧର୍ମଗୁରୁ ଏକ ନ୍ୟୁଜ୍‌ ଚ୍ୟାନେଲକୁ କହିଛନ୍ତି ଯେ, ମଣିଷ ଶୋଇଲେ କରୋନା ଭୂତାଣୁ ଶୋଇଯାଏ। ତେଣୁ ଡାକ୍ତର ଆକ୍ରାନ୍ତଙ୍କୁ ଅଧିକ ସମୟ ଶୋଇବାକୁ ପରାମର୍ଶ ଦେଉଛନ୍ତି। ଧର୍ମଗୁରୁଙ୍କ ଏହି ମନ୍ତବ୍ୟକୁ ଗଣମାଧ୍ୟମ ପ୍ରତିନିଧି ନାୟଲା ଇନାୟତ୍‌ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡ଼ିଓ ବେଶ୍‌ ଟ୍ରୋଲ୍‌ ହେବାରେ ଲାଗିଛି। ସେହିପରି କିଛି ଦିନ ତଳେ ଏକ ନ୍ୟୁଜ୍‌ ଚ୍ୟାନେଲରେ ଅନ୍ୟ ଜଣେ ଧର୍ମଗୁରୁ ଅପରାହ୍ନ ୫ଟା ପରେ ହିଁ କରୋନା ସଂକ୍ରମଣ ଆରମ୍ଭ ହୋଇଥାଏ ବୋଲି କହିଥିଲେ। ତେଣୁ ଦିନସାରା ବୁଲାବୁଲି କରେ କୌଣସି କ୍ଷତି ନାହିଁ ବୋଲି ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୩୫ ହଜାର ୭୦୨ରେ ପହଞ୍ଚିଥିବାବେଳେ ମୃତକଙ୍କକ ସଂଖ୍ୟା ୨ ହଜାର ୫୫୧ରେ ପହଞ୍ଚିଛି। ସେହିପରି ଦେଶର ୧୩ ଶହ ହଟ୍‌ସ୍ପଟକୁ ସରକାର ବନ୍ଦ କରିଛନ୍ତି। କିନ୍ତୁ ଲୋକଙ୍କ ମଧ୍ୟରେ ଏଭଳି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରଙ୍କର କରୋନା ବିରୋଧରେ ଲଢ଼େଇ ଜୋର୍‌ଦାର ହୋଇପାରୁ ନ ଥିବା କୁହାଯାଉଛି।

Share