ମଣ୍ଟ୍ରିଲ ପ୍ରୋଟୋକଲର ତିରିଶ ବର୍ଷ

ଇଂ. ମାୟାଧର ସ୍ବାଇଁ

ପୃଥିବୀର ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ହୋଇଥିବା ମଣ୍ଟ୍ରିଲ ପ୍ରୋଟୋକଲକୁ ୩୦ବର୍ଷ ପୂରିଲା। ଓଜୋନ କ୍ଷୟକାରୀ ପଦାର୍ଥଗୁଡ଼ିକର ଉତ୍ପାଦନ ଓ ବ୍ୟବହାର ନ କରିବା ପାଇଁ ୧୯୮୭ ସେପ୍ଟେମ୍ବର ୧୬ରେ କାନାଡାର ମଣ୍ଟ୍ରିଲଠାରେ ୪୩ଟି ଦେଶ ସମ୍ମିଳିତ ହୋଇ ଏହି ପ୍ରୋଟୋକଲ ପ୍ରସ୍ତୁତ କରିଥିଲେ ଏବଂ ଏହା ୧୯୮୯ ମସିହାରୁ କାର୍ଯ୍ୟକାରୀ ହେଲା। ଏହି ଚୁକ୍ତିରେ ୧୯୭ଟି ଦେଶ ସ୍ବାକ୍ଷର କରିଛନ୍ତି। ଏହା ହେଉଛି ଏକମାତ୍ର ଅନ୍ତର୍ଜାତୀୟ ଚୁକ୍ତି ଯାହାକୁ କୌଣସି ଦେଶ ବିରୋଧ କରିନାହାନ୍ତି। ପୃଥିବୀର ପ୍ରତ୍ୟେକ ଦେଶ ଏହି ଚୁକ୍ତି ଅନୁଯାୟୀ କାର୍ଯ୍ୟ କରିଛନ୍ତି ଏବଂ ଫଳରେ ପୃଥିବୀରେ ଓଜୋନ କ୍ଷୟକାରୀ ପଦାର୍ଥର ଉତ୍ପାଦନ ବହୁ ପରିମାଣରେ ହ୍ରାସ ପାଇଛି।
ପୃଥିବୀର ବାୟୁମଣ୍ଡଳ ଅନେକ ସ୍ତରକୁ ନେଇ ଗଠିତ। ସବୁଠାରୁ ତଳ ସ୍ତର ଭୂପୃଷ୍ଠରୁ ୧୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପ୍ତ। ଏହାକୁ ଟ୍ରପୋସ୍ପିୟର କୁହାଯାଏ। ଏହା ଉପରେ ୧୦ରୁ ୫୦ କି.ମି. ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ଷ୍ଟ୍ରାଟୋସ୍ପିୟର କୁହାଯାଏ। ଷ୍ଟ୍ରାଟୋସ୍ପିୟରରେ ଏକ ପତଳା ସ୍ତରର ଓଜୋନ ଅଛି ଯାହାକୁ ଓଜୋନ ସ୍ତର କୁହାଯାଏ। ଏହି ସ୍ତରକୁ ପୃଥିବୀର ଜୀବଜଗତ ପାଇଁ ରକ୍ଷାକବଚ କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ସୂର୍ଯ୍ୟରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମିକୁ ଶୋଷଣ କରିଦିଏ।
ତିନୋଟି ଅମ୍ଳଜାନ ପରମାଣୁକୁ ନେଇ ଓଜୋନ ଗଠିତ। ସୂର୍ଯ୍ୟାଲୋକର ଅତିବାଇଗଣୀ ରଶ୍ମି ସହ ଅମ୍ଳଜାନର ପ୍ରତିକ୍ରିୟାରେ ବାୟୁମଣ୍ଡଳରେ ଓଜୋନ ସୃଷ୍ଟି ହୋଇଥାଏ। ଏହି ଓଜୋନ ଅଣୁ ପୁଣି ଅତିବାଇଗଣୀ ରଶ୍ମି ସହ ପ୍ରତିକ୍ରିୟା କରିବା ଦ୍ୱାରା ଏହାର ବିଘଟନ ହୋଇଥାଏ। ଏହିପରି ପ୍ରକୃତିରେ ଓଜୋନ ଅଣୁର ସୃଷ୍ଟି ଓ ବିଘଟନ ନିରନ୍ତର ହୋଇ ବାୟୁମଣ୍ଡଳରେ ଓଜୋନର ପରିମାଣ ସମାନ ଥାଏ। କିନ୍ତୁ ଗତ ଶତାବ୍ଦୀରେ ମନୁଷ୍ୟ ନିଜର କେତେକ ବିଳାସ ସାମଗ୍ରୀ ଉପକରଣ ଉଦ୍ଭାବନ କରି ସେଥିରେ କ୍ଲୋରିନ ଓ ବ୍ରୋମିନ ଯୌଗିକ ପଦାର୍ଥ ବ୍ୟବହାର କଲା। ଏହିସବୁ ପଦାର୍ଥ ସେଥିରୁ ନିର୍ଗତ ହୋଇ ବାୟୁମଣ୍ଡଳକୁ ଗଲା ଏବଂ ସେଠାରେ ଓଜୋନ ସହ ପ୍ରତିକ୍ରିୟା କରି ତାକୁ ବିଖଣ୍ଡନ କଲା। ଫଳରେ ବାୟୁମଣ୍ଡଳରେ ଓଜୋନ ସ୍ତରର ସ୍ଥୂଳତା ହ୍ରାସ ପାଇଲା। ଓଜୋନ କ୍ଷୟକାରୀ ପଦାର୍ଥଗୁଡ଼ିକ ହେଉଛି କ୍ଲୋରୋଫ୍ଲୋରୋ କାର୍ବନ, କାର୍ବନ ଟେଟ୍ରାକ୍ଲୋରାଇଡ, ମିଥାଇଲ ବ୍ରୋମାଇଡ ଏବଂ ହାଇଡ୍ରୋ କ୍ଲୋରୋଫ୍ଲୋରୋ କାର୍ବନ। ଏଗୁଡ଼ିକ ରେଫ୍ରିଜରେଟର, ଶୀତତାପ ନିୟନ୍ତ୍ରକ, ଅଗ୍ନିଶମ ଉପକରଣ ଆଦିରେ ବ୍ୟବହୃତ ହେଉଥିଲା। ଓଜୋନ ସ୍ତରର ହ୍ରାସ ଆଣ୍ଟାର୍କଟିକା ଉପରେ ଅଧିକ ଥିଲା। ଏପରିକି ସେଠାରେ ସେହି ସ୍ତରରେ ଛିଦ୍ର ହୋଇଥିବାର ଜଣାପଡ଼ିଲା।
ନେଦରଲାଣ୍ଡର ରସାୟନ ବିଜ୍ଞାନୀ ପଲ୍‌ କ୍ରୁଜେନ ୧୯୬୯ ମସିହାରେ ପ୍ରକାଶ କଲେ ଯେ, ନାଇଟ୍ରୋଜେନ ଅକ୍‌ସାଇଡ ଯୋଗୁ ବାୟୁମଣ୍ଡଳରେ ଓଜୋନର ପରିମାଣ ହ୍ରାସ ପାଉଛି। ଏହାପରେ ୧୯୭୪ ମସିହାରେ ଆମେରିକାର ଦୁଇଜଣ ରସାୟନ ବିଜ୍ଞାନୀ ମେରିଓ ମୋଲିନା ଏବଂ ଶେରଉଡ୍‌ ରୋଲାଣ୍ଡ ମନୁଷ୍ୟ ଦ୍ୱାରା ଉତ୍ପାଦିତ କ୍ଲୋରୋଫ୍ଲୋରୋ କାର୍ବନ ଯୋଗୁ ଓଜୋନ ସ୍ତର ହ୍ରାସପାଉଛି ବୋଲି ଗବେଷଣାତ୍ମକ ନିବନ୍ଧ ପ୍ରକାଶ କଲେ। ଏହି ପଦାର୍ଥ କ୍ଲୋରିନ, ଫ୍ଲୋରିନ, କାର୍ବନ ଓ ଉଦ୍‌ଜାନ ପରମାଣୁରୁ ଗଠିତ ଏବଂ ଏହା ରେଫ୍ରିଜରେଟର ଓ ଶୀତତାପ ନିୟନ୍ତ୍ରକରେ ବ୍ୟବହୃତ ହେଉଥିଲା। ବିଷାକ୍ତ ଆମୋନିଆ ଜାଗାରେ ଏହାର ବ୍ୟବହାର ପାଇଁ ଆମେରିକାର ଜେନେରାଲ ମୋଟର କମ୍ପାନୀ ୧୯୨୮ ମସିହାରେ ପ୍ରଥମେ ଏହାକୁ ଉତ୍ପାଦନ କରିବା ପରେ ଏହାକୁ ବିସ୍ମୟ ପଦାର୍ଥ ଆଖ୍ୟା ଦିଆଯାଇଥିଲା। ବହୁଳ ବ୍ୟବହାର ପରେ ଏହାର ପ୍ରକୃତ ଚେହେରା ଜଣାପଡ଼ିଲା ଏବଂ ବର୍ତ୍ତମାନ ଏହାର ଉତ୍ପାଦନକୁ ବନ୍ଦ କରାଯାଇଛି।
ଓଜୋନ ସ୍ତର ହ୍ରାସର ପ୍ରମାଣ ଏବଂ ବିଶେଷକରି ଆଣ୍ଟାର୍କଟିକା ଉପରେ ଏଥିରେ ଛିଦ୍ର ହେବା ପରେ ମାନବ ସମାଜର ଚେତା ପଶିଲା। ଏହାର ନିରାକରଣ ପାଇଁ ୧୯୮୫ ମସିହାରେ ଭିଏନା ସମ୍ମିଳନୀରେ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏହାର ଦୁଇବର୍ଷ ପରେ ମଣ୍ଟ୍ରିଲ ପ୍ରୋଟୋକଲ ସ୍ବାକ୍ଷରିତ ହେଲା। ଏହି ପ୍ରୋଟୋକଲ ଅନୁଯାୟୀ ବିକାଶଶୀଳ ଦେଶଗୁଡ଼ିକୁ ଓଜୋନ କ୍ଷୟକାରୀ ପଦାର୍ଥର ଉତ୍ପାଦନ ବନ୍ଦ କରି ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଅର୍ଥ ବ୍ୟବସ୍ଥା କରାଗଲା। ମଣ୍ଟ୍ରିଲ ପ୍ରୋଟୋକଲ ଯୋଗୁ ଓଜୋନ ସ୍ତରର ସ୍ଥୂଳତା କ୍ରମଶଃ ବୃଦ୍ଧି ପାଇଲା। ମାତ୍ର ଏହା ପୂର୍ବାବସ୍ଥାକୁ ଫେରିଆସିବା ପାଇଁ ଆହୁରି ଅନେକ ବର୍ଷ ଲାଗିବ।
୧୯୮୭ ସେପ୍ଟେମ୍ବର ୧୬ରେ ମଣ୍ଟ୍ରିଲ ପ୍ରୋଟୋକଲ ସ୍ବାକ୍ଷରିତ ହୋଇଥିବା ଯୋଗୁ ଜନସଚେତନତା ନିମିତ୍ତ ମିଳିତ ଜାତିସଂଘ ୧୯୯୪ ସେପ୍ଟେମ୍ବର ୧୬କୁ ‘ଓଜୋନ ଦିବସ’ ଭାବେ ଘୋଷଣା କରିଛି ଏବଂ ସେହି ବର୍ଷଠାରୁ ଏହା ପ୍ରତିବର୍ଷ ପାଳିତ ହୋଇଆସୁଛି।
ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪