ଆଠମଲ୍ଲିକ,୧୮।୧(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ପୁରୁଣାମାଣତ୍ରୀ ସେବା ସମବାୟ ସମିତି ଧାନ ମଣ୍ଡିରୁ ଦୀର୍ଘ ୫ ଦିନ ହେଲା ଧାନ ଉଠି ପାରୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଥମେ ଚାଷୀଙ୍କୁ ଆଗୁଆ ଟୋକନ ଦିଆଯାଇଥିଲା। ଟୋକନ ପାଇ ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେ। ଏହି ଧାନର ପରିମାଣ ୪୮୦ କୁଇଣ୍ଟାଲ ହେବ ବୋଲି ଜଣାପଡିଛି। ମାତ୍ର ଏଯାବତ୍ ଧାନ ବିକ୍ରି ହୋଇ ନ ପାରି ମଣ୍ଡିରେ ପଡିରହିଛି। ତୁରନ୍ତ ମଣ୍ଡିରୁ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସମବାୟ ସମିତି ସମ୍ପାଦକ ସତ୍ୟଜିତ୍ ବେହେରାମାଳୀ କହିଛନ୍ତି, ମିଲର ଠିକଣା ସମୟରେ ଗାଡି ପଠାଉ ନ ଥିବାରୁ ଧାନ ଉଠିପାରୁ ନାହିଁ। ଏ ଦିଗରେ ସମିତି ପକ୍ଷରୁ ପଦକ୍ଷେପ ନିଆଯାଉଛି।