ମଣ୍ଡିରୁ ଧାନ ଉଠାଣ ଦାବି, ଗଜା ଧାନ ଧରି ଚାଷୀଙ୍କ ବିକ୍ଷୋଭ: ୮ ଘଣ୍ଟା ଚାଷୀଙ୍କ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୧୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ନିକଟସ୍ଥ ଝାରକୁଣ୍ଡାମାଲ ଛକଠାରେ ବୁଧବାର ମଣ୍ଡିରୁ ଧାନ ଉଠାଣ ଦାବିରେ ଚାରବାହାଲ ଓ ବେଲଗୁଡା ମଣ୍ଡିର ଚାଷୀମାନେ ୨୬ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାସହ ମଣ୍ଡିରେ ବର୍ଷା ଯୋଗୁ ଗଜା ହୋଇଥିବା ଧାନ ଧରି ମଧ୍ୟ ଚାଷୀମାନେ ବିକ୍ଷୋଭ କରିଥିଲେ। ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ୮ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଏହା ଯୋଗୁ ଭବାନୀପାଟଣା-ଜୟପୁର ମଧ୍ୟରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଯାତ୍ରୀମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ଘଣ୍ଟା ପରେ ଘଟଣାସ୍ଥଳରେ ଧର୍ମଗଡ ଉପଜିଲାପାଳ ପଦ୍ମନାଭ ବେହେରା, ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାଶ, ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡି ପ୍ରମୁଖ ପହଞ୍ଚତ୍ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଆଜି ମଣ୍ଡିରୁ ଧାନ ଉଠାଣ କରାଯାଉ, ନଚେତ ରାସ୍ତାରୋକୋ ଚାଲିବ ବୋଲି ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ପ୍ରଶାସନିକ ଅଧିକାରୀମାନେ ଚାଷୀଙ୍କୁ ବୁଝାଇବା ପାଇଁ ନାକେଦମ ହେବାକୁ ପଡିଥିଲା। ଅପରାହ୍ନ ୨ଟା ପରେ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଗୁରୁବାରଠାରୁ ଧାନ ଉଠାଣ କରାଯିବ ବୋଲି ଚାଷୀଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକୋ ହଟିଥିଲା।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ଜୁଲାଇ ୧ ତାରିଖଠାରୁ ମଣ୍ଡି ବନ୍ଦ ରହିଛି। କିଛି ମଣ୍ଡିରେ ଧାନ କିଣା ଶେଷ ହେବା ଯୋଗୁ ବନ୍ଦ ହୋଇଥିବାବେଳେ ଆଉ କିଛି ମଣ୍ଡିରେ ଟାର୍ଗେଟ ଅଭାବରୁ ମଣ୍ଡି ବନ୍ଦ ରହିଛି। ଜୁନାଗଡ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୬ଟି ମଣ୍ଡିରେ ୧୨୦୫୬ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ସେଥିମଧ୍ୟରୁ ବେଲଗୁଡା ମଣ୍ଡିରେ ୫୪୩୧ କୁଇଣ୍ଟାଲ, ଚାରାବାହାଲରେ ୩୦୩୩, ଚକୁଳି ମଣ୍ଡିରେ ୧୧୨୦, ଦେଉଣ୍ଡିରେ ୭୬୦, ହାବସପୁରରେ ୧୧୭୮କୁଇଣ୍ଟାଲ ଓ ମାଲିଗୁଡାରେ ୫୩୪ କୁଇଣ୍ଟାଲ ଧାନ ପଡିରହିଛି। ଟାର୍ଗେଟ ଅଭାବରୁ ଏହି ସବୁ ମଣ୍ଡିରୁ ଧାନ ଉଠି ପାରୁ ନାହଁି। ଗତ ୧୫ଦିନ ହେବ ଚାଷୀମାନେ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି। ଏପଟେ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧିଥିଲା। ଖୋଲା ଆକାଶ ତଳେ ମଣ୍ଡିଗୁଡିକ ଚାଲିଥିବାରୁ କିଛି ଚାଷୀଙ୍କ ଧାନ ଭିଜିଯାଇ ଗଜା ହୋଇଯାଇଥିଲା। ଫଳରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଥିଲା। ଶୀଘ୍ର ମଣ୍ଡିରୁ ଧାନ ଉଠାଣ କରିବାକୁ ଦାବି ନେଇ ଚାଷୀମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଫଳରେ ଚାଷୀମାନେ ରାସ୍ତାରୋକୋ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଗତ ରଥାଯାତ୍ରା ସମୟରେ ମଣ୍ଡିରେ ଧାନ ନ ଉଠିବାରୁ ବେଲଗୁଡାର ଚାଷୀମାନେ ଅଭିନବ ପ୍ରତିବାଦ କରିଥିଲେ। ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କୁ ରଥରେ ନେବା ପରିବର୍ତ୍ତେ ଏକ ଟ୍ରାକ୍ଟରରେ ନେଇଥିଲେ।

 

Share