Categories: ଭଦ୍ରକ

ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ

ବନ୍ତ, ୧୧।୧ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ୧୪ଟି ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଧାନ ଅମଳ ସମୟରେ ବାରମ୍ବାର ଅଦିନିଆ ବର୍ଷା ନୟାନ୍ତ କଲାଣି। ଏପଟେ ମଣ୍ଡିରୁ ଧାର୍ଯ୍ୟ ସମୟରେ ଧାନ ଉଠିପାରୁ ନାହିଁ। ଧାନ ତଳିପକାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରି କି ବହୁ କ୍ଷତି ମଧ୍ୟ ସହିବାକୁ ପଡୁଛି ବୋଲି କେତେକ ଚାଷୀ ମତପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଗତ ଡିସେମ୍ବର ୨୦ଠାରୁ ବ୍ଲକର ବିଭିନ୍ନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିଲା। ସମଗ୍ର ବ୍ଲକର ୧୪ଟି ମଣ୍ଡିରୁ ଧାନ କିଣିବା ପାଇଁ ୮ଟି ରାଇସ୍‌ ମିଲ୍‌ ସହ ଚୁକ୍ତିନାମା ହୋଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମଣ୍ଡିରେ ପ୍ରାୟ ୨୩ହଜାର କୁଇଣ୍ଟାଲ ଧାନ କିଣା ଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ ବିଭିନ୍ନ ମଣ୍ଡିରେ ଚାଷୀମାନେ ଟୋକନ ପାଇବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଯେଉଁ ଚାଷୀଙ୍କର ନାମ ଅନ୍‌ଲାଇନରେ ପଠାଯାଉଛି ସେହି ଅନୁସାରେ ଟୋକନ ଆସୁଛି। ମାତ୍ର ମଣ୍ଡି ଦାୟିତ୍ୱରେ ଥିବା କ୍ରୟ ଅଧିକାରୀ ଅନ୍‌ଲାଇନ ଟୋକନ ପ୍ରକ୍ରିୟା କରିବାରେ ପାତରଅନ୍ତର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ଧାନ ବିକ୍ରି କରିବା ନେଇ ବହୁବାର ମଣ୍ଡିକୁ ଆସୁଥିଲେ ମଧ୍ୟ ସେମାନଙ୍କ ନାମ ଅନ୍‌ଲାଇନରେ ପଠାଯାଉ ନାହିଁ। ଫଳରେ ସେମାନେ ଧାନ ବିକିବାରେ ସମସ୍ୟାରେ ପଡୁଛନ୍ତି। ସେହିଭଳି ବ୍ଲକରେ ୧୪ଟି ମଣ୍ଡି ପାଇଁ ଯେଉଁ ମିଲରଙ୍କୁ ଧାନକିଣା ଦାୟିତ୍ୱ ଦିଆଯାଇଛି ସେମାନେ ମନମୁଖି ଭାବେ ଗାଡ଼ି ପଠାଉଛନ୍ତି। ଏଥିଯୋଗୁ ମଣ୍ଡିରେ ଶତାଧିକ ଧାନ ବସ୍ତା ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ି ରହିଛି। ଗତ ଗୁରୁବାର ସକାଳଠାରୁ ମେଘୁଆ ପାଗ ଆରମ୍ଭ ହୋଇଛି। ଏଭଳି କୋହଲା ପାଗ ଜାରି ରହିଥିବା ବେଳେ ଯେକୌଣସି ସମୟରେ ବର୍ଷା ହେବାର ଆଶଙ୍କା ରହିଛି। ମଣ୍ଡିରେ ପକାଇଥିବା ଧାନକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଟୋକନ୍‌ ପ୍ରକ୍ରିୟା ଅନୁଯାୟୀ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ତେବେ ମିଲରଙ୍କ ପାଖରୁ ଗାଡ଼ି ଆସି କିଣା ଯାଇଥିବା ଧାନ ନେବାରେ ବିଳମ୍ବ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।