ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର ଚାଷୀ ଘରୁ ପଖାଳ ଧରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଧାନ ଉଠାଣ ଦାବି କରିଛନ୍ତି। ଏଥିରେ ସାହ୍ଲେପାଲି ଅଞ୍ଚଳର ବହୁସଂଖ୍ୟକ ଚାଷୀ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଭେଡେନ ବ୍ଲକ ଅନ୍ତର୍ଗତ ଅରେଇଗଡ଼ି ପଞ୍ଚାୟତ ଅଧୀନ ସାହ୍ଲେପାଲି ଅଞ୍ଚଳର ଚାଷୀମାନେ ସେମାନଙ୍କ ଅମଳ ଧାନ ବିକ୍ରି ପାଇଁ ମଣ୍ଡିରେ ପକାଇଥିଲେ ସୁଦ୍ଧା ଦୀର୍ଘଦିନ ଧରି ତାହା ସେଠାରେ ପଡି ରହିଛି। ଏ ନେଇ ଚାଷୀମାନେ ବରଗଡ଼ ଜିଲାପାଳଙ୍କ ଅଫିସକୁ ବାରମ୍ବାର ଯାଇ ଅବଗତ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବାରମ୍ବାର ବର୍ଷା ହେଉଥିବା ଯୋଗୁ ମଣ୍ଡିରେ ପଡିଥିବା ଧାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଚାଷୀ ଧାନ ଉଠାଣରେ ପ୍ରଶାସନର ଅପାରଗତାର ଅଭିନବ ପ୍ରତିବାଦ କରିଛନ୍ତି।

Share