ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ ଗୁରୁବାର ସକାଳ ୮ଟାରୁ ୯ଟା ଯାଏଁ ରାସ୍ତାରୋକୋ କରିଥିଲେ। ଫଳରେ ଜୁନାଗଡ-କଲମପୁର ମୁଖ୍ୟ ରାସ୍ତା ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ୧ ଘଣ୍ଟା ରାସ୍ତାରୋକୋ ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳକୁ ଭବାନୀପାଟଣା ଏସିଏସ୍‌ଓ ହାଡିବନ୍ଧୁ ସ, ଜୁନାଗଡ ଆରଏମସି ସମ୍ପାଦକ ବସନ୍ତ କୁମାର ସେଠି, ଚିଲଗୁଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ବିହାରୀ ପହଞ୍ଚତ୍ ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଟାର୍ଗେଟ ସରିଯିବାରୁ ଧାନ ଉଠିପାରୁ ନ ଥିବା ସେମାନେ କହିଥିଲେ। ପରେ ୬ ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ରାସ୍ତାରୋକରୁ ହଟିଥିଲେ। ଚିଲଗୁଡା ମଣ୍ଡିରେ ଗତ ୧୭ ତାରିଖ ସୋମବାର ୩୨ଜଣ ଚାଷୀଙ୍କୁ ଓ ୧୮ତାରିଖ ମଙ୍ଗଳବାର ୩୩ ଜଣ ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ମୁଣ୍ଡରାଗୁଡା ପ୍ୟାକ୍ସ ପକ୍ଷରୁ ଟୋକନ ଦିଆଯାଇଥିଲା। ତେବେ ଟାର୍ଗେଟ ସରିଯିବାରୁ ଉକ୍ତ ଚାଷୀମାନଙ୍କ ଧାନ ମଣ୍ଡିରୁ ନ ଉଠିବାରୁ ବାଧ୍ୟ ହୋଇ ସେମାନେ ରାସ୍ତାରୋକୋର ପନ୍ଥା ଅବଳମ୍ବନ କରିଥିଲେ। ଗୁରୁବାର ମଣ୍ଡିରୁ କୌଣସି ଚାଷୀଙ୍କ ଧାନ ଉଠାଣ ହୋଇ ନ ଥିଲା। ଶୁକ୍ରବାର ଧାନ ଉଠାଣ କରାଯିବ ବୋଲି ଜଣାପଡିଛି। ଗତ ୩ ଦିନ ହେବ ଚିଲଗୁଡା ମଣ୍ଡିରୁ ଧାନ ଉଠୁ ନ ଥିବାରୁ ଅଞ୍ଚଳର ଚାଷୀମାନେ ଦିନବେଳା ଟାଣ ଖରାରେ ଓ ରାତିବେଳା ଗୁଳୁଗୁଳୁରେ ପଡିରହିଛନ୍ତି। ଏପରିସ୍ଥଳେ ଏବେ ମୌସୁମୀ ବର୍ଷା ଆସୁଥିବାରୁ ଚାଷୀମାନଙ୍କ ଚିନ୍ତା ଆହୁରୁ ବଢାଇ ଦେଇଛି। ଏ ନେଇ ଜୁନାଗଡ ଆରଏମସି ସମ୍ପାଦକ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ୬ ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଯାଇଛି। ଶୁକ୍ରବାରଠୁ ଧାନ ଉଠାଣ ସ୍ବାଭାଭିକ ହେବ ବୋଲି କହିଥିଲେ।