Categories: ରାଜ୍ୟ

ମଣ୍ଡିରେ ଚାଷୀଙ୍କ ହଇରାଣକୁ ନେଇ ବିଧାନସଭାରେ ଉଦ୍‌ବେଗ: ଧାନ କିଣିବ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ବର୍ଷ ଖରିଫ ଋତୁରେ ୬୫.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ଯାହାକି ଗତ ବର୍ଷଠାରୁ ୨୬% ଅଧିକ ହୋଇଛି। ଏହି ଧାନରୁ ୪୪ ଲକ୍ଷ ମେଟ୍ରିକ୍‌ ଟନ ଚାଉଳ ଉତ୍ପାଦନ ହେବ। ସେଥିରୁ ୨୫ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯିବାକୁ ଥିବାବେଳେ ବଳକା ଚାଉଳ ଜାତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)କୁ ପ୍ରଦାନ କରାଯିବ। ସେହିପରି ୨୦୧୬-୧୭ରେ ରାଜ୍ୟରେ ୭ ଲକ୍ଷ ୯୮ହଜାର ଚାଷୀ ଧାନ ବିକିବା ଲାଗି ପଞ୍ଜୀକୃତ ହୋଇଥିବା ବେଳେ ୨୦୧୮-୧୯ରେ ୧୦ଲକ୍ଷ ୧୦ହଜାର ଚାଷୀ ଧାନ ବିକ୍ରି କରିଛନ୍ତି। ବୁଧବାର ବିଧାନସଭାରେ ପ୍ରଶ୍ନୋତ୍ତର ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂ ”ଖରିଫ ଋତୁରେ ମଣ୍ଡିରେ ଧାନ ଓଜନ ହେବା ପରେ ଚାଷୀଙ୍କଠାରୁ ପାଇଥିବା ଧାନ ପରିମାଣ ଅନୁଯାୟୀ ଚାଷୀଙ୍କୁ ଚିଠା ଦେଇ ଘରକୁ ଯିବାପାଇଁ ମଣ୍ଡି କର୍ତ୍ତୃପକ୍ଷ ଅନୁମତି ଦେବେ କି? ମଣ୍ଡିରେ ଚାଷୀଙ୍କୁ ମିଲରଙ୍କ ଟ୍ରକ୍‌ ନ ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ୁଛି। ସେମାନଙ୍କୁ ପରିବହନ ସୁବିଧା ଯୋଗାଇ ଦେବା ଲାଗି ସରକାର ବ୍ୟବସ୍ଥା କରିବେ କି“ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଏବଂ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ଧାନକ୍ରୟ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟ ପରିଚାଳିତ କରାଯାଉଛି। ପଞ୍ଜୀକୃତ ଚାଷୀଙ୍କଠାରୁ ଧାନକ୍ରୟ କରାଯାଉଛି। ବିକ୍ରିଯୋଗ୍ୟ ଧାନ ମଣ୍ଡିକୁ ଆଣିବା ପରେ ଏହାର ମାନ ନିର୍ଦ୍ଧାରଣ କରାଯାଇଥାଏ। ଧାନ କିଣିବା ଦାୟିତ୍ୱରେ ଥିବା ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକରେ, ଧାନମଣ୍ଡିରେ ଚାଷୀମାନେ ମିଲରଙ୍କ ଟ୍ରକ୍‌ ଆସିବା ଯାଏ ଅପେକ୍ଷା କରିବାର କୌଣସି କାରଣ ନାହିଁ ବୋଲି କହିଥିଲେ।

Share