ମଣ୍ଡିରେ ଧାନ ବିକିପାରୁ ନାହାନ୍ତି ଚାଷୀ: ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ

ଖଣ୍ଡପଡ଼ା,୧୭ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ ଅଞ୍ଚଳର ଜଣେ ଚାଷୀ ଟୋକନ୍‌ ପାଇ ନ ଥିବାରୁ ମଣ୍ଡିରେ ଧାନ ବିକିପାରୁ ନାହାନ୍ତି। ଏହାର ସମାଧାନ ଦାବିରେ ଗୁରୁବାର ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିଲେ। ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ଧାନମଣ୍ଡି ଖୋଲି ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନକ୍ରୟ କରିବା ବ୍ୟବସ୍ଥା କରିଛନ୍ତି ା ଧାନ ବିକ୍ରି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରାଯାଇ ଟୋକନ ଦେବା ସୁବିଧା ମଧ୍ୟ କରାଯାଇଛି। ମଣ୍ଡିରେ ଟୋକନ ଦେଖାଇ ଚାଷୀମାନେ ଧାନ ବିକ୍ରି କରିପାରିବେ। ଖଣ୍ଡପଡା ବ୍ଲକ କୋସକା ସେବା ସମବାୟ ସମିତିରେ ନାମ ପଞ୍ଜୀକରଣ କରିଥିବା କୋସକା ଗ୍ରାମର ଚାଷୀ ଅରୁଣ କୁମାର ମହାନ୍ତିଙ୍କୁ ଅଦ୍ୟାବଧି ଟୋକନ ମିଳି ନ ଥିବାରୁ ସେ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି। ଏ ନେଇ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ। ଶେଷରେ ଗୁରୁବାର କୋସକା ସେବା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ଝୁଲାଇବାକୁ ବାଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏଥିଯୋଗୁ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେବା ସହ ମିଲର କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କଠାରୁ ଧାନ କ୍ରୟ କରିପାରି ନ ଥିଲେ ା ଏ ସମ୍ପର୍କରେ ସେବା ସମବାୟ ସମିତି କର୍ତ୍ତୃପକ୍ଷ କୋସକା ପୋଲିସ ଫାଣ୍ଡି ଓ ଖଣ୍ଡପଡା ଥାନାର ଦୃଷ୍ଟି ଆକର୍ଷଣ କରିଥିଲେ ା ଦୀର୍ଘ ୩ଘଣ୍ଟା ପରେ ପୋଲିସ ଘଟଣାରେ ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ା ସେବା ସମବାୟ କର୍ତ୍ତୃପକ୍ଷ ଖୁବ୍‌ଶୀଘ୍ର ଉକ୍ତ ଚାଷୀଙ୍କଠାରୁ ଧାନ କ୍ରୟ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସମିତି କାର୍ଯ୍ୟାଳୟର ତାଲା ଖୋଲାଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି ା