Categories: ରାଜ୍ୟ

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଅସନ୍ତୋଷ: ଶସ୍ୟବୀମା ସହାୟତା ରାଶି ମିଳିନି

ବୋଲଗଡ଼,୨୦ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ ସଂପୁର ପ୍ରାଥମିକ ସେବା ସମବାୟ ସମିତି ଧାନ ମଣ୍ଡିରେ ଧାନ ବିକ୍ରି ହୋଇ ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ସମିତିରେ ଧାନ ବିକ୍ରି ହୋଇ ପାରି ନ ଥିବା ଓ ବିଗତ ବର୍ଷର ଶସ୍ୟବୀମା ସହାୟତା ରାଶି ୯୦ଜଣ ଚାଷୀ ପାଇପାରି ନ ଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ସମିତି ସମ୍ପାଦକ ଏବଂ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ହିଁ ଦାୟୀ ବୋଲି କେତେଜଣ ଚାଷୀ କହିଛନ୍ତି। ଚାଷୀମାନେ ବହୁ ପରିଶ୍ରମ କରି ଋଣ ଆଣି ଫସଲ କରିଥିଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରୟ ନ ହେବାରୁ ଅଭାବୀ ବିକ୍ରି ଦ୍ୱାରା କ୍ଷତି ସହୁଛନ୍ତି ବୋଲି ପୂର୍ବତନ ସରପଞ୍ଚ ଜଳଧର ମହାନ୍ତି ମତ ପ୍ରକାଶ କରିଛନ୍ତି। ଯେଉଁ ଚାଷୀ ସେମାନଙ୍କ ବୀମା ସହାୟତା ପାଇ ପାରିନାହାନ୍ତି ସେମାନଙ୍କୁ ଏହା କିପରି ମିଳିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନି। ସେମାନଙ୍କର ଧାନ ବିକ୍ରୟ ନ ହେବାରୁ ସମିତିରୁ କୃଷିଋଣ ପରିଶୋଧ କରି ନ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତିି ବୋଲି ଚାଷୀ ନିରଞ୍ଜନ ନାୟକ କହିଛନ୍ତି । ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିଭଳି ବିଭିନ୍ନ ସମସ୍ୟା ଭୋଗୁଥିବା ବିଶ୍ୱନାଥ ଲେଙ୍କାଙ୍କ ସମେତ ଅନ୍ୟ ଚାଷୀମାନେ ତୁରନ୍ତ ସମାଧନ ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ସମିତି ସମ୍ପାଦକ ଜ୍ଞାନରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ୧୯୦ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆମ ସମିତିରେ ନାମ ପଞ୍ଜୀକରଣ କରିଥିଲେ। ୯,୭୦୦ କୁଇଣ୍ଟାଲ ଧାନ ବିକ୍ରୟ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ରହିଥିଲା। ତେବେ ସରକାରଙ୍କ ପକ୍ଷରୁ କେବଳ ଜଣେ ମିଲରଙ୍କୁ ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ନିଯୁକ୍ତି ଦିଆଯାଇଥିଲା । ଅଧିକ ସଂଖ୍ୟକ ମିଲର ବଦଳରେ ଜଣେ ମିଲର ସମସ୍ତ ଧାନ କ୍ରୟ କରି ନ ପାରି କେବଳ ୪,୫୦୦ କୁଇଣ୍ଟାଲ ଧାନ କିଣିଥିଲେ। ତେଣୁ ମଣ୍ଡିରେ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କ ସମସ୍ତ ଧାନ ବିକ୍ରି ହୋଇପାରି ନ ଥିଲା। ଧାନ ବିକ୍ରି କରି ନ ପାରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share