ମତଦାନ ପୂର୍ବରୁ ଦିଲ୍ଲୀରେ ଫୁଟିଲା ଗୁଳି

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନର ଦିନକ ପୂର୍ବରୁ ସ୍ଥନୀୟ ଅଞ୍ଚଳରେ ଫୁଟିଲା ଗୁଳ। ଶୁକ୍ରବାର ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଏକ ଦୋକାନ ସମ୍ମୁଖରେ ୪ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋକାନ ମାଲିକ ସହ କୌଣସି ଶତ୍ରୁତାକୁ ନେଇ ଏହି ଗୁଳି ଚାଳନା ହୋଇଥିବା ପୋଲିସ ସନ୍ଦେହ କରୁଛି। ଏହି ଫାୟାରିଂ ନାଗରିକତ୍ୱ ସଂଶୋଧନ ଆଇନ ସହ ଜଡ଼ିତ କୌଣସି ପ୍ରଦର୍ଶନକୁ ନେଇ ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ତେବେ ଏହି ଘଟଣା ପଛର ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ଦିଲ୍ଲୀରେ ଏବେ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ଦିନକ ପୂର୍ବରୁ ଏହି ଘଟଣା ଘଟିବା ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ ଗତ କିଛି ଦିନ ତଳେ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ଚାଳନା ଘଟଣା ସାମ୍ନାକୁ ଆସିଥିଲା।

Share