Categories: ମେଟ୍ରୋ

ମତଦାନ ଲାଗି ସଚେତନ କଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଓ କଟକ ସମେତ ୬ ଲୋକ ସଭା କ୍ଷେତ୍ରରେ ଅନୁଷ୍ଠିତ ହେବ।  ଏହାପୂର୍ବରୁ ଶତପ୍ରତିଶତ ମତଦାନ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଏକ ଦୃଢ଼ ତଥା ସ୍ବଚ୍ଛ ସରକାର ଗଠନ କରିବାକୁ ବାର୍ତ୍ତା ଦେଇଛନ୍ତି ବିଏମ୍‌ପିଏସ୍‌ ତକ୍ଷଶିଳା ସ୍କୁଲ୍‌ର ଛାତ୍ରୀଛାତ୍ର।  ଶନିବାର ଅପରାହ୍ନରେ ଭୁବନେଶ୍ୱରର ସିଆର୍‌ପିଏଫ୍‌ ଛକରୁ ଛାତ୍ରୀଛାତ୍ରମାନେ ଏକ ସ୍କେଟିଂ ରାଲିରେ ବାହାରିଥିଲେ। ହାତରେ ପ୍ଲାକାର୍ଡ଼ ଓ ଲିଫ୍‌ଲେଟ ବାଣ୍ଟି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ସାଧାରଣ ନାଗରିକ ଭାବେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ରାସ୍ତାରେ ଯାଉଥିବା ଲୋକଙ୍କୁ ବୁଝାଇଥିଲେ। ରାଲି ଅବସରରେ ଏକାମ୍ର କାନନ ପାର୍କ ସମ୍ମୁଖରେ ଛାତ୍ରୀଛାତ୍ରମାନେ କିଛି ସମୟ ଅଟକି ରହି  ଲୋକଙ୍କୁ ଲିଫ୍‌ଲେଟ ବାଣ୍ଟିବା ସହ ‘ଆମ ଭବିଷ୍ୟତ ଆପଣଙ୍କ ହାତରେ, ଆପଣ ମତଦାନ କରିବା ଆବଶ୍ୟକ’ ବୋଲି କହି ସେମାନଙ୍କୁ ସଚେତନ କରିଥିଲେ। ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା ବହୁ ଲୋକ ଅଟକି ଛାତ୍ରୀଛାତ୍ରଙ୍କ ସହ ବାର୍ତ୍ତାଳାପ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ୍‌ର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସ୍କୁଲ୍‌ ନିର୍ଦ୍ଦେଶିକା ସିକତା ଦାସ, ଚେୟାରମ୍ୟାନ ଟୁଟୁଲ କିଶୋର ଦାସ, ଅଧ୍ୟକ୍ଷା ଲିପ୍‌ସିତା ମହାନ୍ତି, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହିତ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

Share