ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା

ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ଯଦିଓ ବୁଲ୍‌ବୁଲ୍‌ ଓଡ଼ିଶାକୁ ଛୁଇଁବ ନାହିଁ କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ। ବିଶେଷକରି ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ଶୁକ୍ରବାର ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପୁରୀରେ ମଧ୍ୟ ପାଗରେ ପରିବର୍ତ୍ତନ ଆସିଛି। ସକାଳୁ କୋହଲା ପବନ ସାଙ୍ଗକୁ ଆକାଶ ମେଘୁଆ ରହିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଆରମ୍ଭ ହୋଇଥିଲା ଝିପି ଝିପି ବର୍ଷା। ଏହାକୁ ନେଇ ଜନସାଧାରଣଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ମଧ୍ୟ ସତର୍କ ହୋଇପଡିଛି। ପୂର୍ବାହ୍ନରେ ଜିଲାପାଳ ବଲୱନ୍ତ ସିଂ ପୁରୀ ସହରର ପେଣ୍ଠକଟା ବସ୍ତି ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି। ଅନ୍ୟପକ୍ଷରେ ମତ୍ସ୍ୟ ବିଭାଗ ପକ୍ଷରୁ ମଧ୍ୟ ପେଣ୍ଠକଟାର ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।
ସମୁଦ୍ର କୂଳରେ ରହିଛି ପେଣ୍ଠକଟା ବସ୍ତି। ଏଠାରେ ପ୍ରାୟ ୧୦ ହଜାର ମତ୍ସ୍ୟଜୀବୀ ପରିବାର ରହୁଛନ୍ତି। ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସମ୍ଭାବନା ରହିଥିବାରୁ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ସତର୍କ କରାଇ ଦିଆଯାଇଛି। ଡାକବାଜି ଯନ୍ତ୍ର ଯୋଗେ ଡଙ୍ଗାଗୁଡ଼ିକୁ ଉପରକୁ ଉଠାଇ ଆଣି ନିରାପଦ ଭାବେ ବାନ୍ଧି ରଖିବା ଲାଗି କୁହାଯାଇଛି। ଫଳରେ ମତ୍ସ୍ୟଜୀବୀମାନେ ହଜାର ହଜାର ଡଙ୍ଗାକୁ ବେଳାଭୂମି ଉପରକୁ ଉଠାଇ ଆଣିଛନ୍ତି। ସେପଟେ ସମୁଦ୍ର ବି ମଧ୍ୟ ଅଶାନ୍ତ ରହିଛି। ସହକାରୀ ମତ୍ସ୍ୟ ଅଧିକାରୀ ପ୍ରକାଶ ତ୍ରିପାଠୀ ମଧ୍ୟ ପେଣ୍ଠକଟାକୁ ଯାଇ ସମସ୍ତ ମତ୍ସ୍ୟଜୀବୀଙ୍କୁ ସତର୍କ କରିଛନ୍ତି। ଜଣେ ହେଲେ ବି ମତ୍ସ୍ୟଜୀବୀ ଯେପରି ସମୁଦ୍ରକୁ ନ ଯାନ୍ତି ସେଥିଲାଗି ପରାମର୍ଶ ଦେଇଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ପଳାଇ ଆସିଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳ ପେଣ୍ଠକଟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବା ସହ ଲୋକମାନଙ୍କୁ ପଚାରି ବୁଝୁଛନ୍ତି। ଯଦି ଆବଶ୍ୟକ ପଡେ ଏଠାକାର ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି।

Share