ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯ ଶହ କେଜି ବିରଳ ପ୍ରଜାତିର ମଗର: ଦେଖିବାକୁ ଲୋକଙ୍କ ଭିଡ଼

ଭୋଗରାଇ,୨।୩(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସମୁଦ୍ର ମୁହାଣରୁ ସୋମବାର ଏକ ବିରଳ ପ୍ରଜାତିର ମଗର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଯାହାର ଓଜନ ୯ ଶହ କେଜି ବୋଲି ଜଣାପଡ଼ିଛି। ତିନିଟି ଟ୍ରଲରରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ତେବେ ସେମାନଙ୍କ ଜାଲରେ ଏକ ବୃହତ୍‌ ମଗର ପଡ଼ିଥିଲା। ଏହାକୁ ସେମାନେ କୌଶଳକ୍ରମେ ଦୀଘା ମୁହାଣକୁ ଆଣିଥିଲେ। ପରେ ତାହାକୁ ମାଛ ମାର୍କେଟ୍‌ରେ ୨୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା। ଏହାକୁ ରବୀନ୍ଦ୍ର ସାମଲ ନାମକ ଜଣେ ମାଛ ବ୍ୟବସାୟୀ କିଣିଥିଲେ। ବିରଳ ପ୍ରଜାତିର ମଗର ଔଷଧ କାର୍ଯ୍ୟରେ ଲାଗିବାକୁ ବିଦେଶ ପଠାଯିବ ବୋଲି କୁହାଯାଉଛି l ଏହାକୁ ଦେଖିବା ନିମନ୍ତେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।