ମତ୍ସ୍ୟଜୀବୀଙ୍କ ପାଇଁ ୫ ବର୍ଷୀୟା ଯୋଜନା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତରେ ପାରମ୍ପରିକ କୃଷିକୁ ଛାଡ଼ି ଦେଲେ ଅନେକ ଲୋକ ମତ୍ସ୍ୟଜୀବୀ ଭାବେ ଜୀବିକା ନିର୍ବାହ କରିଥାନ୍ତି। କୃଷି ଭଳି ମତ୍ସ୍ୟଜୀବୀଙ୍କୁ ଅଧିକ ସଶକ୍ତୀକରଣ ସହ ସେମାନଙ୍କ ରୋଜଗାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ଖୁବଶୀଘ୍ର ରାଜ୍ୟଗୁଡ଼ିକ ସହ ଆଲୋଚନା କରାଯାଇ ଖସଡା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ବିଶେଷ କରି ତାମିଲନାଡୁ, କର୍ନାଟକ, କେରଳ, ଗୋଆ, ଓଡ଼ିଶା,ଆନ୍ଧ୍ର, ତେଲଙ୍ଗାନା, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟର ମାଛ ଧରାଳି ଏହା ଦ୍ୱାରା ଉପକୃତ ହେବେ ବୋଲି କୁହାଯାଉଛି।
ନ୍ୟାଶନାଲ ଫେଡେରେଶନ ଅଫ୍‌ ଫିସର୍ସ କୋଅପରେଟିଭ୍‌ ଲିଃ ପକ୍ଷରୁ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫେଡେରେଶନର ଜାତୀୟ ଆପେକ୍ସ ବଡି ପକ୍ଷରୁ ଏହାର ରୂପରେଖ ପ୍ରସ୍ତୁତ କରାଯିବ। ପାଞ୍ଚବର୍ଷିୟା ଯୋଜନା ଉପରେ ଫେଡେରେଶନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଦେଶର ସମସ୍ତ ମତ୍ସ୍ୟଜୀବୀଙ୍କୁ ଯେପରି ଆଜୀବନ ବୀମାଭୁକ୍ତ କରାଯାଇପାରିବ, ସେ ନେଇ ଧ୍ୟାନ ଦିଆଯାଉଛି। ସାରା ଦେଶରେ ପେସାଗତ ଭାବେ ୧.୬ କୋଟି ମତ୍ସ୍ୟଜୀବୀ ରହିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେବଳ ୩୦ ଲକ୍ଷଙ୍କୁ ବୀମାଭୁକ୍ତ କରାଯାଇଛି। ନିକଟରେ ବେଙ୍ଗାଲୁରୁରେ ଫେଡେରେଶନର ୧୬୯ତମ ବୋର୍ଡ ଅଫ୍‌ ଡିରେକ୍ଟର୍ସ ବୈଠକରେ ମତ୍ସ୍ୟଜୀବୀଙ୍କ ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିବା ଜଣାପଡିଛି। ଟି. ପ୍ରସାଦ ରାଓ ଦୋରା ଏହି ବୈଠକର ଅଧ୍ୟକ୍ଷତା କରିଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ମୁକେଶ ଯୋଗଦାନ କରିଥିଲେ। ଫେଡେରେଶନ ଦ୍ୱାରା ସାରା ଦେଶରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମତ୍ସ୍ୟଜୀବୀଙ୍କୁ ସାମିଲ କରାଯାଇଛି। ତେଣୁ ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ୧୪ ଲକ୍ଷ ୮୦ ହଜାର ୭୦୪(ପ୍ରାୟ ୧୫ ଲକ୍ଷ) ମତ୍ସ୍ୟଜୀବୀ ରହିଥିବା ଜଣାପଡିଛି। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତଙ୍କୁ ଉପଯୁକ୍ତ ଚିହ୍ନଟ କରାଯାଇପାରିନାହିଁ। ବଡ଼ ମତ୍ସ୍ୟଜୀବୀ, ଟ୍ରଲର, ଡଙ୍ଗା ଏବଂ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା କେତେକ ବର୍ଗ ହିଁ ଉପକୃତ ହେଉଛନ୍ତି। ଏହି ବର୍ଗର ମତ୍ସ୍ୟଜୀବୀମାନେ ହିଁ ବୀମାଭୁକ୍ତ ହୋଇଛନ୍ତି। ତେଣୁ ରାଜ୍ୟରେ କ୍ଷୁଦ୍ର ମତ୍ସ୍ୟଜୀବୀମାନଙ୍କ ଚିହ୍ନଟ ପ୍ରକ୍ରିୟା ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଥରେ ଉପଯୁକ୍ତ ମତ୍ସ୍ୟଜୀବୀ ଚିହ୍ନଟ ପ୍ରକ୍ରିୟା ହେବା ପରେ ସେମାନଙ୍କ ପାଇଁ ସ୍ଥାୟୀ ଯୋଜନା ଆବଶ୍ୟକ ରହିଥିବା କେତେକ ମତ ରଖିଛନ୍ତି।

Share