ମଥୁରାରେ କୃଷ୍ଣ, ବଳରାମ

ମଥୁରାନଗରୀ/ଗୋପପୁର,୯ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ବୁଧବାର ନବମ ଦିବସରେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦଭବନରୁ ବାହାରି ଥିଲେ। ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ଶୁଭ ମନାସୀ ଥିଲେ। ଶ୍ରୀକୃଷ୍ଣ, ବଳରାମ ଗୋପପୁର ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ଗୋପପୁର ପରିକ୍ରମା ବେଳେ ପ୍ରତି ଘର ସମ୍ମୁଖରେ ପୂର୍ଣ୍ଣକଳସ ସ୍ଥାପନ କରି ଅକ୍ରୂରଙ୍କ ସହ ବେନିଭାଇଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ବେନିଭାଇଙ୍କ ଗୋପ ପରିକ୍ରମା ସମୟରେ ସମ୍ପ୍ରଦା ଦଳର ସାଂସ୍କୃତିକ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।
ଗୋପ ମଣ୍ଡପ ଦୃଶ୍ୟାଭିନୟରେ ଅକ୍ରୂର ଶ୍ରୀକୃଷ୍ଣ, ବଳରାମଙ୍କୁ ମଥୁରା ନେବା ପାଇଁ ନନ୍ଦରାଜା, ନନ୍ଦରାଣୀଙ୍କୁ କହିଥିଲେ। ମାତ୍ର ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କୁ ମଥୁରା ଛାଡ଼ିବାକୁ ଚାହିଁ ନ ଥିଲେ। ତେବେ ଧନୁଯାତ୍ରା ସାରି ୪ଦିନ ପରେ ମଥୁରାରୁ ଫେରି ଆସିବେ ବୋଲି ଶ୍ରୀକୃଷ୍ଣ ନନ୍ଦରାଣୀ ଓ ନନ୍ଦରାଜାଙ୍କୁ ବୁଝାଇଥିଲେ। ଶେଷରେ ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ବାଟ ଓଗାଳି ଥିଲେ। ଶ୍ରୀକୃଷ୍ଣଙ୍କୁ ମେଲାଣି ଦେବାବେଳେ ନନ୍ଦରାଣୀ, ନନ୍ଦରାଜାଙ୍କ ସମେତ ଗୋପବାସୀ କାନ୍ଦି ପକାଇଥିଲେ। ସେହିପରି ଶ୍ରୀକୃଷ୍ଣ ବିରହରେ ରାଧା ପଥରୋଧ କରିବାକୁ ଚେଷ୍ଟା କରି ବିଫଳ ହୋଇ ପଡ଼ିଥିଲେ। ବେନିଭାଇ ଗୋପପୁର ଛାଡ଼ିବା ପରେ ରାଧାଙ୍କ ସମେତ ସମସ୍ତ ଗୋପାଳ ବାଳକ, ଗୋପୀ ଗୋପାଙ୍ଗନା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଅନ୍ୟପକ୍ଷେ ବେନିଭାଇ ଅକ୍ରୂରଙ୍କ ସହିତ ମଥୁରା ପହଞ୍ଚି ଆଦିମାତା ମନ୍ଦିର(ଖଜୁରଟିକ୍ରା)ରେ ବିଶ୍ରାମ ନେଇଥିଲେ।
ସେହିପରି ଅନ୍ୟଦିନ ଭଳି କଂସ ମହାରାଜ ମଥୁରା ପରିକ୍ରମା କରିଥିଲେ। ପରିଭ୍ରମଣ ବାଟରେ ସେ ଆମ୍ରବନ(ଗୋବିନ୍ଦପାଲି)କୁ ଯାଇଥିଲେ। ସେଠାରେ ଶ୍ରୀକୃଷ୍ଣଙ୍କ ଆରାଧନାରତ ମୁନି ଋଷିଙ୍କ ଯଜ୍ଞ ମଣ୍ଡପ ଭାଙ୍ଗିଥିଲେ। ଏପରି କି ମୁନିଋଷିଙ୍କୁ ଚାବୁକ ପ୍ରହାର କରି ବାନ୍ଧି ଆଣିଥିଲେ। କଂସଙ୍କ ଆଦେଶ କ୍ରମେ ସୈନ୍ୟ, ସାମନ୍ତ ମୁନିଋଷିଙ୍କୁ କାରାଗାରକୁ ନେଇ ବନ୍ଦୀ ରଖିଥିଲେ। ଅନ୍ୟାୟ, ଅତ୍ୟାଚାରରୁ ନିବୃତ୍ତ ରହିବା ପାଇଁ ମୁନିଋଷିମାନେ ମହାରାଜ କଂସଙ୍କୁ ପରାମର୍ଶ ଦେଇଥିଲେ। ହେଲେ ମହାରାଜ କଂସ କ୍ରୋଧାନ୍ବିତ ହୋଇ ପଡ଼ିବାରୁ ମୁନିଋଷି ତାଙ୍କୁ ଅଭିଶାପ ଦେଇଥିଲେ। ତେବେ ଶ୍ରୀକୃଷ୍ଣ, ବଳରାମ ମଥୁରା ପହଞ୍ଚିବା ଖବର ପାଇ ମହାରାଜ କଂସ ଖୁସିରେ ଉତ୍‌ଫୁଲ୍ଲିତ ହୋଇ ପଡ଼ିଥିଲେ। ବିଭିନ୍ନ ସାଂସ୍କୃତିକ ଦଳର ନାଚଗୀତର ଆସରରେ ମସ୍‌ଗୁଲ୍‌ ହୋଇ ପଡ଼ିଥିଲେ। ସେହିପରି ରାଜ ଦରବାରରେ ମନ୍ତ୍ରୀ ଜଗନ୍ନାଥ ସାରକା, ବରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ରାଜ ଅତିଥିଭାବେ ଯୋଗ ଦେଇଥିଲେ।

Share