ମଦଦୋକାନରେ ଚଢ଼ାଉ

ପୁରୁଷୋତ୍ତମପୁର,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରର ବିଭିନ୍ନ ସ୍ଥାନରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉପରେ ବୁଧବାର ରାତିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ ଅତର୍କିତ ଭାବେ ଚଢ଼ାଉ କରି ଯାଞ୍ଚ କରିଛନ୍ତି। ଏହାକୁ ନେଇ ମଦ ବେପାରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ସାଧାରଣରେ ବିଭିନ୍ନ ଚର୍ଚ୍ଚା ହେଉଛି। ସହରର ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ କାରବାର ଚାଲିଛି। ପୁରୁଷୋତ୍ତମପୁର ସହର ମୁଖ୍ୟ ଗୋପାଳ ବନ୍ଦ ଛକ ଓ କାଳୀମନ୍ଦିର ଛକ ନିକଟରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ସମ୍ମୁଖ, ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ଏହି ରାସ୍ତା ଦେଇ ପୋଲିସ ଓ ଅବକାରୀ ବିଭାଗୀୟ ଅଧିକାରୀମାନେ ଯିବା ଆସିବା କରୁଥିଲେ ମଧ୍ୟ କେହି ହେଲେ ଏହାକୁ ରୋକିବା ଲାଗି ପଦକ୍ଷେପ ନେଉନାହାନ୍ତି । ହଠାତ୍‌ ରାତି ଅଧିଆ ମଦ ଦୋକାନରେ ଚଢ଼ାଉ କରାଯିବା ଲୋକ ଦେଖାଣିଆ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।