ମଦଦୋକାନ ଉଚ୍ଛେଦ ନେଇ ତେଜିଲେ ମହିଳା, କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମରର ବେଆଇନ ମଦଦୋକାନଗୁଡିକୁ ଉଚ୍ଛେଦ ଦାବିରେ ମହିଳାମାନେ ଭବାନୀପାଟଣା ଅବକାରୀ ଅଧ୍ୟୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ବୟଂସହାୟକ ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ଦାବିପତ୍ର ପ୍ରଦାନ କରିଥିଲେ। ପତ୍ରରେ ଗ୍ରାମରେ ସ୍କୁଲ ସାମ୍ନାରେ, ମୁଖ୍ୟ ଛକରେ ଓ ବିଭିନ୍ନ ସ୍ଥାନରେ ମୋଟ ୬ ଗୋଟି ମଦ ଦୋକାନ ବେଆଇନ ଭାବେ ଚାଲୁଥିବାରୁ ଭିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ମଦ ପିଇ ଅସାମାଜିକ ଲୋକମାନେ ନାନା ବିଶୃଙ୍ଖଳା ସୃଷ୍ଟି କରିବା ସହ ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଫଳରେ ଗାଁରେ ଝିଅ ଭଉଣୀମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଗତ ୧୭ ତାରିଖରେ ଗାଁର ମହିଳା ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଏକ ସଭା କରାଯାଇ ପରଲସିଙ୍ଗାକୁ ମଦମୁକ୍ତ ଗ୍ରାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ମଦଦୋକାନଗୁଡିକୁ ସୂଚନା ଦିଆଯାଇଥିଲା। ମଦ ଦୋକାନୀମାନେ ଏଥିପାଇଁ କିଛି ସମୟ ମାଗିଥିଲେ। ମାତ୍ର ଏପର୍ଯ୍ୟନ୍ତ ଗାଁରେ ମଦ ବିକ୍ରି ଚାଲୁଛୁ। ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ମଦ ବିରୋଧୀ ଗ୍ରାମବାସୀ ବେଆଇନ ମଦ ଦୋକାନଗୁଡିକୁ ବନ୍ଦ କରିବା ପାଇଁ ଅବକାରୀ ଅଧ୍ୟୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ବାଧ୍ୟ ହୋଇ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।