ମଦଦୋକାନ ଭଙ୍ଗାରୁଜା ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ସ୍ଥାନୀୟ ପିଭିଏନ୍‌ ପେଟ୍ରୋଲ ପମ୍ପ ଛକରେ ଥିବା ବିୟର ପାର୍ଲର ଭଙ୍ଗାରୁଜା ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ମେଘା ରେଡ୍ଡୀ। କେସ୍‌ ନଂ.୧୮୮/୧୯ରେ ମେଘାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ମେଘା ମଦ ପିଇବା ପାଇଁ ବିୟର ପାର୍ଲର ଯାଇଥିଲେ। ସେଠାରେ ସେ ମଦ ପିଇବା ପରେ ପାର୍ଲରରେ କାମ କରୁଥିବା କର୍ମଚାରୀ ଜଣଙ୍କ କାଉଣ୍ଟରରେ ଟଙ୍କା ଦେବାକୁ କହିଥିଲେ। ଏଥିରେ ମେଘା ଉତ୍‌କ୍ଷିପ୍ତ ହୋଇ ବିୟର ପାର୍ଲର ଭଙ୍ଗାରୁଜା କରିବା ସହ ମ୍ୟାନେଜର ରବୀନ୍ଦ୍ର ନାଥ ସାହୁଙ୍କୁ ବିୟର ବୋତଲରେ ଆକ୍ରମଣ କରିଥିଲେ। ଏପରିକି ଥାନାରେ ଖବର ଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ମ୍ୟାନେଜର ସାହୁ ବୁଧବାର ରାତିରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।