ମଦବିକ୍ରିକୁ ବିରୋଧ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ମୁରିବାହାଲ, ୧୮।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ଅଧୀନ ଧୁମାମାଲ ଗ୍ରାମରେ ବ୍ୟାପକ ମଦ କାରବାର ଚାଲିଛି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ଏ ନେଇ ଜଣାଇଲେ ମଧ୍ୟ କୌଣସି ମଦ ବିକ୍ର ବନ୍ଦ ହେଉନାହିଁ। ତେଣୁ ଗୁରୁବାର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁରିବାହାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ଅମିତ କୁମାର ପାତ୍ରଙ୍କ ଉପସ୍ଥିତିରେ ୯ ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା କୁଚିଆ ମଦ ବିକ୍ରୟକୁ ବିରୋଧ କରି ଲିଖିତଭାବେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବର୍ଷବର୍ଷ ଧରି ଏକୱାର୍ଡ ବିଶିଷ୍ଟ ଧାମାମାଲ ଗ୍ରାମରେ ୫ଜଣ କୁଚିଆ ମଦ ବ୍ୟବସାୟୀ କରୁଛନ୍ତି । ୫ ଦିନ ତଳେ ଗ୍ରାମସଭା ମାଧ୍ୟମରେ ମଦ ବିକ୍ରି ବନ୍ଦ କରିବା ପାଇଁ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ତାଗିଦ୍‌ କରାଯାଇଥିଲା। ତନ୍ମଧ୍ୟରୁ ୨ଜଣ ବିକ୍ରି ବନ୍ଦ କରିଥିବା ବେଳେ ୩ଜଣ ମଦ ବିକ୍ରି ଚାଲୁ ରଖିଛନ୍ତି। ଏହି ଗ୍ରାମରେ ବ୍ୟାପକ ମଦ କାରବାର ଯୋଗୁଁ ଅଶାନ୍ତିକର ବାତାବରଣ ଦେଖାଦେଉଛି। ଅବାଧ ମଦ କାରବାରର ପ୍ରଭାବ ଯୁବଗୋଷ୍ଠୀ ଉପରେ ପଡୁଛି। ଏଥିପାଇଁ ସାମାଜିକ ବିଭ୍ରାଟ ଦେଖାଦେଉଛି। ରାସ୍ତାପାର୍ଶ୍ୱ ଏପରିକି ବିଦ୍ୟାଳୟ ନିକଟରେ ଖୁଲମଖୁଲା ମଦ ବିକ୍ରି ହେଉଥିବା ଯୋଗୁଁ ନିଶାସକ୍ତଙ୍କ ପାଦୃଭାବ ଗ୍ରାମବାସୀଙ୍କୁ ଅତିଷ୍ଠ କରୁଛି ବୋଲି ଏସଆଇ ସରୋଜ ରଞ୍ଜନ ରଥଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଅଭିଯୋଗର ଅନୁସନ୍ଧାନ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆଇ ରଥ ପ୍ରତିଶ୍ରୁତି ଦେଇଥିବା ଏସଏଚଜି ମହିଳାମାନେ କହିଛନ୍ତି। ତେବେ ଆଗାମୀ ଦିନରେ ଗ୍ରାମରେ ମଦ ବନ୍ଦ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।