ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ବୁଲିଲେ

ବନ୍ତ,୨୬।୨(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅଧୀନ ମଙ୍ଗୁଲି ଗ୍ରାମର ସମସ୍ତ ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦକଙ୍କ ସମେତ ସଦସ୍ୟ ବୁଧବାର ମଦବିରୋଧୀ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଚୋରାମଦ ବିକ୍ରି ହେବା ଫଳରେ ମଦ୍ୟପାନ କରି ବିଭିନ୍ନ ପରିବାରରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ସହ ହିଂସାତ୍ମକ ଘଟଣା ଘଟି ଚାଲିଛି। ଯୁବକମାନେ ମଦ୍ୟପାନ କରି ବିପଥଗାମୀ ହେବା ସହ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଗ୍ରାମରେ ଚୋରାମଦ ବିକ୍ରିକୁ ବନ୍ଦ କରିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଗ୍ରାମର ମାନସୀରାଣୀ ବିଶ୍ୱାଳ, ସଞ୍ଜୁକ୍ତା ଦାସ, ଉର୍ମିଳା ରାଜ, ଜୟନ୍ତୀ ରାଉତ, ଅଞ୍ଜନା ରାଉତ, ପାର୍ବତୀ ରାଉତ, ରୀତାଞ୍ଜଳି ସେଠୀ, ପ୍ରୀତିଲତା ପରିଡ଼ାଙ୍କ ସମେତ ବହୁ ମହିଳା ଏହି ଅଭିଯୋନରେ ସାମିଲ ହୋଇ ଲୋକଙ୍କୁ ସଚେତନ କରାଇଥିଲେ। ଏ ନେଇ ସେମାନେ ଗୁରବାର ବନ୍ତ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।