ମଦଭାଟିରୁ ଟଙ୍କା ନେଉଥିଲେ ଅବକାରୀ ଅଧୀକ୍ଷକ

ଦେବଗଡ଼,୨୯ା୯(ଡି.ଏନ୍‌.ଏ.): ମଦଭାଟି ମାଲିକଙ୍କଠାରୁ ଦେଢଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଓ ବାରକୋଟ ଅବକାରୀ ଏଏସ୍‌ଆଇ ମଥୁରା ମୋହନ ପ୍ରଧାନ। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁ୍‌ଯାୟୀ କୌଣସି କାମକୁ ନେଇ ଦେବଗଡ଼ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ମହାପାତ୍ର ବାରକୋଟ ଥାନା ଅନ୍ତର୍ଗତ ବିଦେଇ ବଡକୁଦର ସରକାରୀ ଦେଶୀ ମଦଭାଟି ମାଲିକ ରାଜେନ୍ଦ୍ର ଜୟସ୍ବାଲଙ୍କଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ମଦଭାଟି ମାଲିକ ଜୟସ୍ବାଲ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଅବକାରୀ ଅଧୀକ୍ଷକଙ୍କୁ ଜାଲରେ ପକାଇବା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟରେ ଦେଢଲକ୍ଷ ଟଙ୍କା ପ୍ରଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା।

ସନ୍ଧ୍ୟାରେ ଅବକାରୀ ଅଧୀକ୍ଷକ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବାରକୋଟ ଅବକାରୀ ଏଏସ୍‌ଆଇ ମଥୁରା ମୋହନ ପ୍ରଧାନ ବିଦେଇ ବଡକୁଦର ମଦଭାଟିକୁ ଯାଇଥିଲେ। ସେଠାରେ ମଦଭାଟି ମାଲିକ ଜୟସ୍ବାଲ ଏଏସ୍‌ଆଇ ପ୍ରଧାନଙ୍କୁ ରାସାୟନିକ ପ୍ରଲେପ ବୋଳା ଦେଢଲକ୍ଷ ଟଙ୍କା ପ୍ରଦାନ କରିବାବେଳେ ପୂର୍ବ ଯୋଜନା ଅନୁଯାୟୀ ଛପି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏହା ସହ ତାଙ୍କୁ ଗିରଫ କରି ଦେବଗଡ଼ ଆଣିଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ମହାପାତ୍ର ରହୁଥିବା ଭଡାଘରେ ଚଢାଉ କରାଯାଇଥିଲା। ପରେ ବାରକୋଟ ବ୍ଲକର ପୁରୁଣାପାଣି ଗ୍ରାମରେ ଥିବା ଅବକାରୀ ଏଏସ୍‌ଆଇଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଅଧିକାରୀ ଯାଇ ଯାଞ୍ଚ କରିଥିଲେ। ଏହି ଚଢାଉରେ ଦେବଗଡ଼ ଭିଜିଲାନ୍ସ ବିଭାଗ ଡିଏସ୍‌ପି ଯୋଗେଶ ପଟେଲ, ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ, ରାଉରକେଲା ଭିଜିଲାନ୍ସ ବିଭାଗ ଡିଏସ୍‌ପି ବୀରେନ୍ଦ୍ର କୁମାର ନାୟକ, ଝାରସୁଗୁଡା ଭିଜିଲାନ୍ସ ବିଭାଗ ଡିଏସ୍‌ପି ପ୍ରଦୀପ ଆଇନ୍ଦ, ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ, ସୁଶୀଳ ବାର୍ଲା, ଏଏସ୍‌ଆଇ ରାମଚନ୍ଦ୍ର ସାହୁଙ୍କ ସମେତ ବହୁ ଭିଜିଲାନ୍ସ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Share