ମଦ୍ୟପ ପ୍ରଧାନଶିକ୍ଷକ ପିଲାଙ୍କୁ ଡରାଇବା ଘଟଣା : ବଦଳିଲେ ୩ ଶିକ୍ଷକ

ବାଲିଗୁଡ଼ା,୪।୮(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ମଦ୍ୟପାନ କରି ଆସି ପାଠ ପଢ଼ିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ପିଲାମାନେ ମଧ୍ୟାହ୍ନଭୋଜନ ସମୟରେ ଭୟରେ ଘରକୁ ଫେରି ଆସିଥିଲେ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ଘଟଣାର ସମାଧାନ ନିମନ୍ତେ ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଉଦ୍ଧବ ଚରଣ ନାୟକଙ୍କ ସହିତ ୩ ଜଣ ଏବିଇଓ ମଧ୍ୟ ଉକ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ଘଟଣାରେ ୩ଜଣ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ରବିବାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଦ୍ୟପାନ କରି ପିଲାଙ୍କୁ ଡରାଇଥିବା ଶିକ୍ଷକଙ୍କ ସମେତ ସେହି ବିଦ୍ୟାଳୟର ୩ଜଣ ଶିକ୍ଷକଙ୍କୁ ବଦଳି କରିଛନ୍ତି ତୁମୁଡ଼ିବନ୍ଧ ବିଇଓ। ଚିଠି ନମ୍ବର-୧୦୪୫, ତା.୨/୮/୨୦୧୯ ଅନୁଯାୟୀ, ଉକ୍ତ ବିଦ୍ୟାଳୟର ରୁଷି କୁମାର ନାୟକଙ୍କୁ ଦାନୁଙ୍ଗିଆ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବାବେଳେ ଦାନୁଙ୍ଗିଆର ଶିକ୍ଷକ ସୀମାଞ୍ଚଳ ନାୟକଙ୍କୁ ତୁମୁଡ଼ିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଉକ୍ତ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କୁ ପଡ଼ିକିଆ କଲୋନୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଅଳକା କୁମାରୀ ନାୟକଙ୍କୁ ବଦଳି କରାଯାଇଛି ଏବଂ ଅନ୍ୟଜଣେ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନଙ୍କୁ ଆଠବାଡ଼ି ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଶିକ୍ଷକ ବିମ୍ବାଧର ସାହୁଙ୍କୁ ତୁମୁଡ଼ିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି।

Share